ବୈତରଣୀ ନଦୀରେ ବନ୍ୟା ଯୋଗୁଁ ୪ଟି ପଞ୍ଚାୟତର ୧୨ରୁ ଉର୍ଦ୍ଦ ଗାଁ ପାଣି ଘେରରେ
ହାଟଡିହି, (ବିକାଶ ବିଶ୍ୱାଳ):ଗତ ଦୁଇଦିନ ହେଲା ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବାଦ୍ୱାରା ବୈତରଣୀ ନଦୀରେ ବନ୍ୟା ଆସିଛି । ଚଳିତ ବର୍ଷର ଏହା ଦ୍ୱିତୀୟ ବନ୍ୟା । ଗତ ୫ଦିନ ତଳେ ପ୍ରଥମ ବନ୍ୟାଜଳ ଆସି କେବଳ ରାଘବପୁର ଗାଁ ନିକଟରେ ପ୍ରବାହିତ ହୋଇଥିଲା । କିନ୍ତୁ ଚଳିତ ବନ୍ୟା ହାଟଡିହି ବ୍ଲକର ୫ଟି ପଞ୍ଚାୟତରେ ପ୍ରବେଶ କରି ୧୨ରୁ ଉର୍ଦ୍ଧ ଗାଁକୁ ଆଜି ଜଳବନ୍ଦି କରି ପକାଇଛି । ଆଇତିପୁର ପଞ୍ଚାୟତର ରାଘବପୁର ଗାଁ ନିକଟରେ ବନ୍ୟାଜଳ ରାସ୍ତା ଉପରେ ୪ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ରାଘବପୁର ଗ୍ରାମକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛେଦ କରିପକାଇଛି । ଗାଁରେ ୫ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ଲୋକମାନେ ବାହାରକୁ ବାହାରି ପାରି ନାହାନ୍ତି । ପୁର୍ବରୁ ଏଠାରେ ଏକ ଡଙ୍ଗା ଥିବାବେଳେ ଏବେ ଡଙ୍ଗା ନଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଯଦି ଅଧିକ ବନ୍ୟାଜଳ ଆସିଥାନ୍ତା କି ଗୋଁରେ କୌଣସି ଅଘଟଣା ଘଟିଥାନ୍ତା ତେବେ ଲୋକେ ବାହାରକୁ ବାହାରି ପାରି ନଥାନ୍ତେ । ସେହିପରି ଏହି ପଞ୍ଚାୟତର ନୁଆଗଁ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି । ଗାଁ ରାସ୍ତା ଉପରେ ୩ଡଫୁଟ ଉଚ୍ଚର ପାଣି ଚାଲୁଥିବାରୁ ବାଇକ, କିମ୍ବା ସାଇକେଲ ମଧ୍ୟ ବାହାରକୁ ବାହାରି ପାରୁ ନାହିଁ । ଗାଁ ଲୋକମାନେ ଗାଁ ଭିତରେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ଗ୍ରାମବାସୀଙ୍କ କହିବାକଥା ଯେ ଆମ୍ବୋ ଠାରୁ ସମଣା ଓ ଆଇତିପୁର ପଞ୍ଚାୟତର ରାଘବପୁର ନିକଟରେ ନଦୀବନ୍ଧ ମୁକୁଳା ପଡିଥିବାରୁ ବନ୍ୟାଜଳ ଏହିବାଟ ଦେଇ ପ୍ରବେଶ କରି ପ୍ରତିବର୍ଷ କ୍ଷୟକ୍ଷତି ଘଟାଉଛି । ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଏବେ ଧାନ ରୁଆ ସମୟ ହୋଇଥିବାବେଳେ ଅନେକ ଜମି ରୁଆପୋତା ସରିଥିଲା ଓ ଆଉ କିଛି ଜମିରେ ରୁଆପୋତା ଚାଲୁଥିଲା । କିନ୍ତୁ ବନ୍ୟା ଯୋଗୁଁ ଅଧିକାଶଂ ଜମିରେ ବାଲିଚର ହେବାସହ ଆଉ କିଛିଜମି ପାଣିରେ ଧାନଗଛ ଗୁଡିକ ପଚି ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ସେହିପରି ଏହି ପଞ୍ଚାୟତର ଆଇତିପୁର, ମଦରଙ୍ଗା, ଅମୃତପୁର, ମଧୁପୁର ଆଦି ଗ୍ରାମ ଗୁଡିକ ପାଣି ଘେର ଭିତରେ ରହିଛି । ସେହିପରି ଆମ୍ବୋ ନିକଟରେ ଅସମ୍ପୁର୍ଣ୍ଣ ହୋଇ ପଡିଥିବା ନଦୀବନ୍ଧ ଯୋଗୁଁ ସେହିବାଟେ ବନ୍ୟାଜଳ ପ୍ରବେଶ କରି ସମଣା, ଆମ୍ବୋ ପଞ୍ଚାୟତର ଅନେକ ଗାଁକୁ ଘେରି ଯାଇଛି । ତେଲସିଙ୍ଗା- କରଗୋଳା ରାସ୍ତା ବୁଡି ଯିବାରୁ କରଗୋଳା ଗାଁକୁ ଯାତାୟତ ବନ୍ଦ ହୋଇ ଯାଇଥିବାବେଳେ ବାହାରିପୁର ନିକଟରେ ରାସ୍ତା ବୁଡିଯିବାରୁ ସମଣା, ଆଗିରିଆ, ଚାପୁଣ୍ଡିଆ, କଦମ୍ବଡିହି ଗ୍ରାମ ପାଣିଘେରରେ ରହିଛି । ସେହିପରି ହାବଳେଶ୍ୱର ପଞ୍ଚାୟତର ବାଲିପଦା ଗାଁ ପାଣି ଘେରରେ ଥିବା ସୁଚନା ମିଳିଛି । ସେହିପରି ଆମ୍ବୋ ପଞ୍ଚାୟତର ଅଣତିରା ନିକଟରେ ଟୁକୁଣା-ଆମ୍ବୋ ରାସ୍ତାରେ ପାଣି ଚାଲୁଥିବାରୁ ଗମନାଗମନ ବିଛେଦ ହୋଇ ପଡିଛି । ଏହି ସବୁ ଅଞ୍ଚଳରେ କ୍ଷୟକ୍ଷତିର କୌଣସି ସୁଚନା ମିଳିନଥିବାବେଳେ କେବଳ ପନିପରିବା ଓ ଧାନ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଅନେକ ଲୋକଙ୍କ ପୋଖରୀ ଗୁଡିକରେ ବନ୍ୟାଜଳ ପ୍ରବେଶ କରି ଉଛୁଳି ଉଠିବାରୁ ମାଛଚାଷୀମାନେ କ୍ଷତିଗ୍ରସ୍ଥ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବିଡିଓ, ତହସିଲଦାର ଓ ବିଭିନ୍ନ ପଞ୍ଚାୟତର ନୋଡାଲ ଅଫିସର ମାନେ ବିଭିନ୍ନ ଗ୍ରାମ ପରିଦର୍ଶନ କରି ସତର୍କ ଦୃଷ୍ଟି ରଖିଥିବା ଭାରପ୍ରାପ୍ତ ବିଡିଓ ବିଚିତ୍ର କୁମାର କର ସୁଚନା ଦେଇଛନ୍ତି । ସରକାର ତୁରନ୍ତ ନଦୀବନ୍ଧ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ସହିତ କ୍ଷତିଗ୍ରସ୍ଥ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।


