ବୈଦିକ ଗୁରୁକୁଳାଶ୍ରମରେ ଋଷିବୋଧ ଉତ୍ସବ ଓ ୬୩ତମ ବାର୍ଷିକ ଉତ୍ସବ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଗୁରୁକୁଳ ଅନ୍ଦୋଳନର ମୁଖ୍ୟ ନାୟକ, କର୍ମଯୋଗୀ ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ବୈଦିକ ଗୁରୁକୁଳ ଆଶ୍ରମ, ବେଦବ୍ୟାସର ୬୩ତମ ବାର୍ଷିକ ଉତ୍ସବ ଓ ଆର୍ଯ୍ୟସମାଜର ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଋଷିବୋଧ ଉତ୍ସବ ଆଶ୍ରମର ଅଧିଷ୍ଠାତା ଆଚାର୍ଯ୍ୟ ଡଃ ଦେବବ୍ରତଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଶିଷ୍ଟ ସନ୍ନ୍ୟାସୀ ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ କହିଲେ ଯେ, ଭାରତ ବର୍ଷରେ ମହର୍ଷି ଦୟାନନ୍ଦଙ୍କ ୨୦୦ ବର୍ଷ ଜନ୍ମ ଉତ୍ସବ ପାଳନ କରିବା ବେଳେ ଆମେ ତାଙ୍କ ସଂସ୍କାରବାଦୀ ଆନ୍ଦୋଳନର ଜଣେ ଜଣେ ସୂତ୍ରଧର ହେବା ଉଚିତ୍ । ଆଜି ମଧ୍ୟ କୁସଂସ୍କାର ଆମ ସମାଜରେ ବଞ୍ôଚରହିଛି ।ଏହି ଅବସରରେ ପରିବ୍ରାଜକ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ସ୍ମୃତିରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ସମ୍ପାଦନାରେ ସମ୍ପାଦିତ ପ୍ରଣବ ଉପାସକ ପ୍ରଣବାନନ୍ଦକୁ ସ୍ୱାମୀଜୀ ମହାରାଜ ଲୋକାର୍ପଣ କରିବା ପରେ, ଶ୍ରଦ୍ଧାଞ୍ଜଳି ଜଣାଇ ପଣ୍ଡିତ ଶ୍ରୀ ପଣ୍ଡା କହିଲେ ଯେ, ସ୍ୱାମୀ ପ୍ରଣବାନନ୍ଦ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମହର୍ଷି ଦୟାନନ୍ଦଙ୍କ ବାର୍ତ୍ତା ଓ ବେଦର ବାର୍ତ୍ତାକୁ ସରଳ ଭାବରେ ସାଧାରଣ ମଣିଷ ପାଖରେ ପହଞ୍ଚାଉଥିଲେ । ବିଶିଷ୍ଟ ଅତିଥି ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ମହର୍ଷି ଦୟାନନ୍ଦଙ୍କ ୨୦୦ବର୍ଷ ଜୟନ୍ତୀ ସାରା ଓଡ଼ିଶାରେ ବ୍ୟାପକ ଭାବେ ପାଳନ କରିବା ପାଇଁ ସମସ୍ତ ଧର୍ମସଂସ୍ଥା ମାନଙ୍କ ସହ ସମନ୍ୱୟ ରକ୍ଷା କରି ସନ୍ଥ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ ବୋଲି ସେ କହିଥିଲେ । ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ସ୍ୱତନ୍ତ୍ରାନନ୍ଦ ସରସ୍ୱତୀ, ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ, ଆଚାର୍ଯ୍ୟ ଡଃ ବ୍ରହ୍ମଦତ୍ତ, ଶ୍ରୀମତୀ ଡ. ଉଷା ପାଢୀ, ସ୍ୱାମୀ ଶ୍ରୀସତ୍ୟ ମହର୍ଷି ଦୟାନନ୍ଦଙ୍କ ବୋଧ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ୬୩ଟି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ କଲିକତାର ଭଜନଉପଦେଶକ ଅପୂର୍ବ ଦେବ ଶର୍ମା ଭଜନଗାନ ଓ କବିନ୍ଦ୍ର ଶାସ୍ତ୍ରୀ ଶାନ୍ତିପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ରାମଚନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ସାହୁ, ଦୀନବନ୍ଧୁ ଗାହାଣ, ବିଶ୍ୱନାଥ ଶାସ୍ତ୍ରୀ ଓ ଆଶ୍ରମର ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଉପାଧ୍ୟାୟ, ପଣ୍ଡିତ ଜଗବନ୍ଧୁ ଶାସ୍ତ୍ରୀ ପ୍ରମୁଖ ସଞ୍ଚାଳନ କରିଥିଲେ ।