ବୈରାଗ୍ୟାନନ୍ଦ ମହାରାଜଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପାଇଁ ଦୃଢ ଦାବି
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ମଦନ ରାମପୁରର ରାମକୃଷ୍ଣ ଆଶ୍ରମ, କଳାହାଣ୍ଡିର ପତିଷ୍ଠାତା ସ୍ୱାମୀ ବୈରାଗ୍ୟାନନ୍ଦ ମହାରାଜଙ୍କ ସ୍ମୃତି ମହୋତ୍ସବ ନବନିଯୁକ୍ତ ସମ୍ପାଦକ ସ୍ୱାମୀ ଶାସ୍ତ୍ରବିଧାନାନନ୍ଦଜୀ ମହାରାଜଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି ଦେଇଥିବା ପ୍ରସ୍ତାବକୁ ଆର୍ଯ୍ୟ ସମାଜ, ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉପସ୍ଥାପନ କରିବା ପରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ପ୍ରତିଷ୍ଠାତା ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ସମର୍ଥନ କରିବା ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଏହାକୁ ଦୃଢତର ସହ ସମର୍ଥନ କରିଥିଲେ ।କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସ୍ୱାମିଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରି କହିଲେ ଯେ, ସ୍ୱାମିଜୀ କଥନୀରେ ବିଶ୍ୱାସ କରୁନଥିଲେ, କରନୀ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ଅନ୍ୟତମ ଅତିଥି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଲେ ଯେ, ମହାରାଜଙ୍କ ନିଷ୍ଠାର ପଟ୍ଟାନ୍ତର ନାହିଁ । କଳାହାଣ୍ଡି ଜିଲ୍ଲାର ମାଳ ଅଞ୍ଚଳରେ ଯେଉଁ ଅକ୍ଷୟ କିର୍ତ୍ତୀ ଗଢି ଦେଇ ଯାଇଛନ୍ତି, କଳାହାଣ୍ଡିବାସୀ କେବେ ସ୍ୱାମିଜୀଙ୍କୁ ଭୁଲିପାରିବେ ନାହିଁ ।ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କହିଲେ ଯେ, ସ୍ୱାମିଜୀଙ୍କ ତ୍ୟାଗ, ନିଷ୍ଠା, ସଂକଳ୍ପ ପାଇଁ ଆଜି ଶ୍ରୀ ରାମକୃଷ୍ଣ ଆଶ୍ରମ କଳାହାଣ୍ଡି ଜିଲ୍ଲାରେ ଏକ ଲୋକପ୍ରିୟ ଅନୁଷ୍ଠାନ ଭାବେ ପ୍ରତିଷ୍ଠା ଲାଭ କରିପାରିଛି । ଏହି ଅବସରରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ପକ୍ଷରୁ ମହାରାଜଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ସ୍ମରଣିକା ‘ଅନନ୍ତଙ୍କୁ ଅନନ୍ତ କୋଟି ପ୍ରଣାମ’ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଲୋକାର୍ପଣ କରିଥିଲେ ।ରାମକୃଷ୍ଣ ଆଶ୍ରମ ଭଦ୍ରକର ସ୍ୱାମୀ ରାମେଶ୍ୱରାନନ୍ଦଜୀ ମହାରାଜ ଓ ରିଷିର ଶ୍ରୀ ରାମକୃଷ୍ଣ ଆଶ୍ରମର ସ୍ୱାମୀ ବଳଦେବାନନ୍ଦଜୀ ମହାରାଜ ସ୍ମୃତିଚାରଣ କରି ସ୍ୱାମିଜୀ ଜ୍ଞାନ ମାର୍ଗ ଠାରୁ କର୍ମ ମାର୍ଗକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ ବୋଲି ସ୍ମୃତିଚାରଣ ପୂର୍ବକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଓ ସାରା ଭାରତବର୍ଷରୁ ୫୦ରୁ ଉର୍ଦ୍ଧ୍ୱ ସନ୍ନ୍ୟାସୀ ଯୋଗ ଦେଇ ସ୍ୱାମିଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଉପଲକ୍ଷେ ଆଶ୍ରମ ପରିସରରେ ଶାନ୍ତି ଯଜ୍ଞ, ନାମ ସଂକୀର୍ତ୍ତନ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଭା ଓ ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାମୀ ବିରଶାନନ୍ଦ, ଗୋବର୍ଦ୍ଧନ ମହାନ୍ତି ପ୍ରମୁଖ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସମ୍ପାଦକ ରାମ ନାରାୟଣ ମିଶ୍ର, କବି ରମାକାନ୍ତ ମିିଶ୍ର, ବିମଳ ସିଂହଦେଓ, ସୁଶାନ୍ତ ଦାସ ଓ ଡ଼ାକ୍ତର ସୁଶିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।


