ବୈରି ସାଜିଛି ବୟସ, ଆଙ୍ଗୁଳି ଛାପ ନହେବାରୁ ରାସନ ସାମଗ୍ରୀରୁ ବଞ୍ଚିତ ବୃଦ୍ଧା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ସରକାର ଏବେ ବିଭିନ୍ନ ଯୋଜନାରେ ଆଧାର କାର୍ଡ ସହିତ ବ୍ୟାଙ୍କ ପାସବହିକୁ ଗୁରୁତ୍ୱ ଦେଉଥିବାବେଳେ ଅନେକ ଲୋକ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଆଧାରକାର୍ଡ ବିନା ବହୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅନେକ ଅସହାୟ ଗରୀବ ବୃଦ୍ଧ ବୃଦ୍ଧା । ବୟସାଧିକ କାରଣରୁ ଆଙ୍ଗୁଳି ରେଖା ଲିଭିଯିବା ହେଉ କିମ୍ବା ଆଖିଲେନ୍ସ କମିଯିବା ଯୋଗୁ ଗାଁ ଗହଳି ବୁଢାବୁଢିଙ୍କର ଆଧାରକାର୍ଡ ହୋଇପାରୁନାହିଁ । ଫଳରେ ଗୁରୁତ୍ୱପୂର୍ଣ୍ଣ ଯୋଜନାରୁ ବାଦ ପଡୁଛନ୍ତି ଗରୀବ ପରିବାରର ବୟୋଜ୍ୟଷ୍ଠ ବ୍ୟକ୍ତି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ବସନ୍ତ ଜେନା ସ୍ୱାମୀଙ୍କ ମୃତ୍ୟୁ ପରେ ରାସନ କାର୍ଡ ଠିକାଠାକ ପାଉଥିଲେ । ଏବେ ବୟସ ହୋଇଯିବାରୁ ଆଖିର ଶକ୍ତି କମିଯିବା କାରଣରୁ ଅତ୍ୟାଧୁନିକ ମେସିନରେ ଆଖି ସ୍କାନ ହୋଇପାରୁନାହିଁ । ଏହାଛଡା ହାତର ରେଖା ଲିଭିଯିବା ଯୋଗୁ ଆଙ୍ଗୁଳି ଛାପ ମଧ୍ୟ ଉଠୁନାହିଁ । ଫଳରେ ଅସହାୟ ବସନ୍ତ ଏବେ ରାସନ ସାମଗ୍ରୀ ପାଉନଥିବା ଜଣାଯାଇଛି । ଏନେଇ ଆଜି ସେ ଜଣେ ସମ୍ପର୍କୀୟଙ୍କ ସହିତ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଯୋଗାଣ ନିରୀକ୍ଷକଙ୍କୁ ସମସ୍ତ ବିଷୟରେ ଅଭିଯୋଗ କରିଛନ୍ତି । ସେହିଭଳି ରଣଜିତ ପଞ୍ଚାୟତ ମଞ୍ଜୁରୀ ଗ୍ରାମର ୭୦ବର୍ଷିୟ ବୃଦ୍ଧାଙ୍କର ଆଙ୍ଗୁଳି ରେଖା ଲିଭିଯିବାରୁ ଆଧାରକାର୍ଡ ଖଣ୍ଡିଏ ହୋଇପାରୁନାହିଁ । ସେ ମଧ୍ୟ ରାସନ ସାମଗ୍ରୀରୁ ବଞ୍ଚିତ ହେଉଛନ୍ତି । ଏଭଳି ଆହୁରି ଅନେକ ଘଟଣା ରହିଥିବାବେଳେ ସରକାରଙ୍କ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ଅନୁମାନ କରାଯାଉଛି । କାରଣ ଯେଉଁ ଲୋକଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ସେମାନେ ଏବେ ବୟସାଧିକ କାରଣରୁ ଉପଯୁକ୍ତ ପ୍ରମାଣପତ୍ର ଯୋଗାଡ କରିପାରୁନଥିବାରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିପ୍ରତି ପ୍ରଶାସନିକ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟିଦେଇ ରାସନ ସାମଗ୍ରୀ ମିଳିବା ବାବଦରେ ସରଳିକରଣ ପ୍ରକ୍ରିୟା ଆରମ୍ଭ କଲେ ଅନେକ ଅସହାୟ ଗରୀବ ବୃଦ୍ଧବୃଦ୍ଧା ଉପକୃତ ହୋଇପାରନ୍ତେ ଏଥିରେ ସନ୍ଦେହ ନାହିଁ ।