ବୈରୀ ସାଜିଛି ଆଙ୍ଗୁଳି ରେଖା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ସରକାର ଗରୀବ ଓ ଅସହାୟ ଲୋକମାନଙ୍କୁ ଚାଉଳ ଏବଂ ଗହମ ଯୋଗାଇ ଆସୁଛନ୍ତି। ବିଶେଷ କରି ଅଗ୍ରାଧିକାର ଭିତ୍ତିରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା କୌଣସି ପରିବାର ଯେଭଳି ଯୋଜନାରୁ ବାଦ ନପଡନ୍ତି ତାହା ଉପରେ ମଧ୍ୟ ସରକାର ସତଦୃଷ୍ଟି ରଖିଛନ୍ତି । ଏହାଛଡା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମଧ୍ୟ ଯୋଜନା ଅନୁଯାୟୀ ଲାଭନ୍ବିତ ହେଉଛନ୍ତି । ପରିତାପର ବିଷୟ ବ୍ୟବସ୍ଥା ଗତ ଭାବେ କିଛି ନୀତିନିୟମ କଡାକଡି ଥିବାରୁ ପ୍ରକୃତ ହିତାଧିକାରୀ ଟିଏ ଆଜି ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡୁଛି । ଵିଶେଷ କରି ଆଧାର ନମ୍ବର ସହିତ ଆଙ୍ଗୁଳି ଓ ଆଖିର ଛାପ ବାଧ୍ୟତାମୂଳକ ହେବା ଦିନଠାରୁ ଗ୍ରାମାଞ୍ଚଳର ଅସହାୟ ବୟସ୍କ ବ୍ୟକ୍ତି ମାନେ ରାସନ ସାମଗ୍ରୀରୁ ବଞ୍ଚିତ ହେଉଛନ୍ତି । ଏମିତି ଏକ ଅଭିଯୋଗ ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଂଚାୟତ ଉତ୍ତରବାଡ଼ ଗ୍ରାମରୁ ଆସିଛି । ଗ୍ରାମର ରାଧିକା ଜେନା ୮୨ବର୍ଷରେ ପ୍ରଦାର୍ପଣ କରିଥିବା ବେଳେ ତାଙ୍କର ଆଙ୍ଗୁଳି ରେଖା ସମ୍ପୂର୍ଣ ଭାବେ ଲିଭିଗଲାଣି । ଫଳରେ ଆଧାର ନମ୍ବର ସହିତ ଫିଙ୍ଗର ପ୍ରିଣ୍ଟ ସଠିକ ସଂଯୋଗ ହେଉନଥିବାରୁ ସେ ଦୀର୍ଘ ଦୁଇ ବର୍ଷ ହେବ ମାସିକିଆ ୫କେଜି ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏପଟେ ଭତ୍ତା ପାଉଥିବା ୫୦୦ଟଙ୍କାକୁ ନେଇ ଚଳିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଏନେଇ ସେ ବ୍ଲକ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଯୋଗାଣ ବିଭାଗ ଅଧିକାରୀଙ୍କ ଯାଏଁ ଅଭିଯୋଗ କରୁଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣୁନାହାନ୍ତି । ଏଭଳି ଅବସ୍ଥା କେବଳ ରାଧିକାଙ୍କ କ୍ଷେତ୍ରରେ ହୋଇଛି ସେ କଥା ନୁହେଁ, ଆହୁରି ମଧ୍ୟ ରଣଜିତ ଗ୍ରାମର ଗେଡି ସେଠୀଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଛି । ବ୍ଲକର ବିଭିନ୍ନ ଅଞ୍ଚଳରୁ ଏଭଳି ଅଭିଯୋଗ ଆସୁଥିବା ବେଳେ ପରିଣତ ବୟସରେ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆଙ୍ଗୁଳି ରେଖା ବୈରୀ ସାଜିଛି । ରେଖା ଲିଭିଜିବା ଯୋଗୁ ପେଟ ପାଇଁ ଖାଦ୍ୟ ଯୋଗାଡ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ । ବ୍ୟବସ୍ଥାରେ ସରଳିକରଣ ସହିତ ଏହା ଉପରେ ସରକାର ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଅନେକ ଅସହାୟ ବୃଦ୍ଧବୃଦ୍ଧା ଉପକୃତ ହୋଇପାରିବେ ।