ବୋଉ

ସେଦିନ ଗାଧୁଆ ଘରୁ ଜୋର ଆବାଜ ଶୁଣି ସାରିବା ପରେ ବାପା ରଡି ଛାଡିଲେ ଆରେ କଣ ହେଲା? ପୁଅ ଗାଧୁଆ ଘର ଦୁଆର ଆଡକୁ ଚାହିଁଦେଇ ପୁଣି ଫେରିଗଲା ତା ଡିଜିଟାଲ ଦୁନିଆଁକୁ. ଆଉ ଝିଅ ଭାବୁଥିଲା ଏତେବେଳକୁ ବୋଉ କୁଆଡେ ଗଲା. ଡାକ ପକାନ୍ତାଣି କାହାର କଣ ହେଲା? ଦଉଡି ଆସି ପଚାରନ୍ତାଣି କେହି ପଡିଯାଇନ ତ? ଝିଅ ଟିକେ ଗାଧୁଆ ଘର ଫାଙ୍କରେ ଦେଖିନେଲା. ବୋଉ ଚିତ ହୋଇ ପଡିଛି. ଡାକ ଶୁଣି ବାପା ଓ ପୁଅ ଦଉଡି ଆସିଥିଲେ ମଧ୍ୟ ବୋଉ ଉଠିପାରୁନି. ଗୋଡ଼ ଭାଙ୍ଗିଛି ନିଶ୍ଚୟ. ଡକ୍ଟର କହିଲେ ମାସେ ରେଷ୍ଟ ନେବାକୁ ପଡିବ. ବୋଉକୁ କେଵେ ଭୋକ ହୁଏ କି ନା କେହି କେଵେ ପଚାରୁନଥିବା ବେଳେ ଆଜି ବାପା ପୁଅ ଝିଅଙ୍କର ଚିନ୍ତା ସକାଳ ଜଳଖିଆ, ତା ପରକୁ ମଧ୍ୟାହ୍ନ ରୋଷେଇ, ପୁଣି ଅପରାହ୍ନ ଟିଫିନ ପୁଣି ରାତ୍ରୀ ଭୋଜନ ସହିତ ଅନ୍ୟାନ୍ୟ ଘର କାମ ସବୁକୁ ନିର୍ଦୋନ୍ଦରେ କରିଯାଉଥିବା ବୋଉର ଗୋଡ଼ ଭାଙ୍ଗିଗଲାପରେ ସେସବୁ କେମିତି ହେବ!ବାପାଙ୍କର ତ ଭୁଲାମନ. କେଵେ ବୋଉ ବିନା କୋଉ ଜିନିଷ ପାଇବା ଓ ମନେକରି ଅଫିସ ଯିବା ପୂର୍ବରୁ ସାଙ୍ଗରେ ଦରକାରୀ ଜିନିଷ ମନେପକେଇ ନେବା କେହି ଏଯାଏଁ ଦେଖିନି. ତା ଭିତରେ ପୁଅର ଭଳି ଭଳି ଖାଇବା ବରାଦକୁ ଝିଅ ଆଜିଯାଏଁ ଚା ଟୋପେ କରି ଶିଖିନି. ସେସବୁ କଥା ଚିନ୍ତା କରି ବାପା, ପୁଅ ଓ ଝିଅ ତିନିହେଁ ମ୍ରିୟମାଣ ହୋଇପଡୁଥିଲା ବେଳେ ବୋଉ କହୁଥିଲା ଦୁଇଟା ଦିନରେ ମୁଁ ଉଠିଯିବି. ଡାକ୍ତର କହୁଥିଲେ ଗୋଡ଼ ସେମିତି ବିଶେଷ କିଛି ହୋଇନି ତ ବାପା ପାଟି କରି ଉଠିଲେ. ବିଶେଷ କିଛି ନହୋଇଥିଲେ ନଳିଗୋଡ଼ଟା ବ୍ୟାଣ୍ଡେଜ ହୋଇନଥାନ୍ତା. ହୁସିଆର କହିଦେଉଛି ମାସେ ପୂର୍ବରୁ ଯଦି ଓଲ୍ହେଇବାକୁ ତଳକୁ ଚେଷ୍ଟା କରିଛ!
ବୋଉ ସବୁଠୁ ବ୍ୟସ୍ତ ଥିଲା ଘର କେମିତି ଚଳିବ କହି ତ ପରାମର୍ଶ ଦେଇଥିଲା ଖୁଡି ଶାଶୁଙ୍କୁ ଗାଁରୁ ଆଣିବା ପାଇଁ. ସ୍ୱାମୀଙ୍କ ବୋଉ ବହୁଆଗରୁ ଚାଲିଯାଇଥିଲେ ତ ସେହି ଖୁଡି ହିଁ ମାଳବିକାଙ୍କର ଖାଲି ଶାଶୁ ନୁହଁନ୍ତି ବରଂ ସବୁକିଛି କହିଲେ ଅତ୍ୟୁକ୍ତି ହେବନାହିଁ. ତାଙ୍କ ନିଜର ସ୍ୱାମୀ ନାହାଁନ୍ତି କି ନାହାଁନ୍ତି ସନ୍ତାନ ସନ୍ତତି. ତେଣୁ ସେ ହିଁ ପିଲାଙ୍କ ଜେଜେମାଆ. ସବୁ ଅଳି ଅର୍ଦଳି ସହି ନିଜ ନାତି ନାତୁଣୀଙ୍କର ସବୁ କରିଛନ୍ତି ପଞ୍ଚୁଆତି ଠୁ ଏକୋଇଶିଆ ଯାଏଁ ତ ଖୁଡିଙ୍କୁ ଗାଁରୁ ନେଇଆସିଲେ ଖୁବ ଭଲ ହେବ ବୋଲି ମାଳବିକା କହୁଥିଲେ ତ ବାପା ସିନା ରାଜି ପିଲା ଦୁହେଁ ମନେ ମନେ ଭାବୁଥିଲେ କେତେ କଥା. ପୁଅ ଭାବୁଥିଲା ମାଆ ରାତିରୁ ଉଠି ଗାଧୁଆ ପାଧୁଆ କରି ଠାକୁର ଘରେ ଘଣ୍ଟି ବାଡେଇ କାହାକୁ ଶୁଆଇ ଦେବନି. ଝିଅ ଭାବୁଥିଲା ମାଆ ତାକୁ ହିଁ ଘଣେଇବ, କହିବ ଝିଅପିଲା ଯେତେ ପାଠ ପଢିଲେ ମଧ୍ୟ ଚୁଲି ମୁଣ୍ଡକୁ. ଏ ଭିତରେ ଦିନଟିଏ ବିତିଛି କି ନାହିଁ ବୋଉ ଖଟଲାଗି ହୋଇଥିବାରୁ ବାପା ପୁଅ ଝିଅ ନାକେଦମ ତ ମାନିନେଇ ଥିଲେ ବୋଉ ଉପଦେଶ. ଖୁଡିଙ୍କ ସଙ୍ଗେ ଫୋନରେ କଥା ହୋଇ ନିଜେ ବୋଉ ଠିକ କରିସାରିଥିଲା ତାଙ୍କ ଆସିବା କଥା.
ପହଂଚିଗଲେ ଖୁଡି ମାଆ ପିଲାଙ୍କର. ଆଣିଥିଲେ କେତେ କଣ ଯେମିତିକି ଚୁଙ୍ଗୁଡ଼ି ଶୁଖୁଆ, ବଡି,ପାମ୍ପଡ଼, ଆଚାର ଇତ୍ୟାଦି. ସତରେ ତାମ୍ପଡାଶୁଖୁଆ ପାଣି କରି ଗରମ ଭାତ ଖାଇବାର ମଜ୍ଜା ନିଆରା. ପୁଣି ଆଳୁ, ଜହ୍ନି, ଭେଣ୍ଡି ପୋଡ଼ା ସାଙ୍ଗକୁ ବଡ଼ି ଭଜା ପାଗ ଖୁବ ସ୍ୱାଦିଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ହୋଇଯାଉଥିଲେ ମଧ୍ୟ ଖୁଡିମାଆ ଉଠିଲେ ବସିଲେ ଉହୁ, ଓହୋ ହେଉଥାଆନ୍ତି. ନାତିକୁ ଡାକ ପକାଉଥାଆନ୍ତି ତଳୁ ଉଠେଇବାକୁ ତ ନାତୁଣୀକୁ ଡାକ ପକାଉଥାଆନ୍ତି ବଢ଼ାବଢି, ଶାଗକଟା, ଶଙ୍ଖୁଡି ଉଠେଇବାକୁ ତ ପିଲା ଦୁହେଁ ଭାବୁଥିଲେ ବୋଉଟା କେଵେ ଭଲ ହେବ କେଜାଣି!ସେଦିନ ବୋଉକୁ ଔଷଧ ଦେବାକୁ କହିଦେଇ ଯାଇଥାନ୍ତି ବାପା. ତାଙ୍କର ଅଫିସରୁ ଆସିବା ଡେରି ହେବ ତ ପୁଅ ଝିଅ ଔଷଧ ଖୁଆଇବାକୁ ବୋଉ ରୁମରେ ପଶି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେଲେ. ବୋଉ ପାଇଁ ଆସିଥିବା ତେଲକୁ ଖୁଡିମାଆ ଗୋଡ଼ରେ କଷ୍ଟରେ ବସି ଘଷୁଥିଲା ବୋଉ ଆଉ କହୁଥିଲା ଦିନଯାକ କେତେ ପରିଶ୍ରମ କରୁଛ ଖୁଡି ଟିକେ ଘସିଦିଏ. ପିଲାଦୁହିଁଙ୍କ ପଛରେ ବାପା ଆସି ପହଁଞ୍ଚି ସେ ଦୃଶ୍ୟ ଦେଖି ଭାବୁଥିଲେ ସତରେ ମାଳବିକା କୋଉ ଉପାଦାନରେ ଗଢା କେଜାଣି!ପୁଅ ଝିଅ କାନ୍ଦି ପକେଇଥିଲେ ତ ବୋଉ କହୁଥିଲେ ଆସିଲ ଆସିଲ ଦୁହେଁ ମୋ ପାଖକୁ ଗୋଡ଼ ହାତ ଟିକେ ଆଉଁସି ଦିଏ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ