ବୋମା ମାଡ଼ରୁ ଅଳ୍ପକେ ବାର୍ତ୍ତିଲେ ଯୁବକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଆଶୀର୍ବାଦ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଓ ଜିମ୍ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ୨ ଜଣ ଅଜଣା ଦୁର୍ବୃତ୍ତ ଏକ ବୁଲେଟରେ ଆସି ଜଣେ ଯୁବକଙ୍କୁ ଲକ୍ଷ୍ୟ କରି ଲଗାତାର ୨ ଟି ହାତ ବୋମା ଫିଙ୍ଗି ଥିଲେ। ଯୁବକ ଜଣକ ଦୌଡ଼ି ପଳାଇବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ତାଙ୍କର କୌଣସି କ୍ଷତି ହୋଇନାହିଁ।କିନ୍ତୁ ରାସ୍ତାକଡରେ ପାର୍କିଂ କରିଥିବା ଦିଗପହଣ୍ଡି ବଡ଼ବ୍ରାହ୍ମଣ ସାହିର ହିମାଂଶୁ ମହାରଣାଙ୍କ ଥର୍ ଜିପ୍ ର ପଛଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ବୋମା ଫୁଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଥିଲା। ଲୋକେ ଦୌଡା ଦୌଡ଼ି କରିଥିଲେ।ଖବର ପାଇ ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବୋମା ଟୁକୁରା, ବୋମାରେ ବ୍ୟବହୃତ ଲୁହା କଣ୍ଟା, ଲୁହା ବଲ୍ସ, ଗୋଡ଼ି ପ୍ରଭୃତି ଜବତ କରିବା ସହ ସରଜମିନ ତଦନ୍ତ କରି ଫେରିଛନ୍ତି। ଦିଗପହଣ୍ଡି ମୁଖ୍ୟରାସ୍ତାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟ ରେ ଥିବା ଜିମ୍ ରେ ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ କୌଣସି କଥା କୁ ନେଇ ଧସ୍ତା ଧସ୍ତିି ହୋଇଥିଲା। କିନ୍ତୁ କେଉଁମାନେ ବୋମା ମାଡ଼ କଲେ ଓ କାହିଁକି ବୋମା ଫିଙ୍ଗି ଚାଲିଗଲେ ସେ ସମ୍ପର୍କରେ ପୋଲିସ କୁ କୌଣସି ଠୋସ ସୂଚନା ମିଳିନଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି। ଅପରପକ୍ଷରେ ସନ୍ଧ୍ୟାରେ ଦିଗପହଣ୍ଡି – ପଦ୍ମନାଭପୁର ମୁଖ୍ୟରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ବୋମା ମାଡ଼ କରିଥିଲେ । ପରେ ସେମାନେ ଉକ୍ତ ବାଇକ ଆରୋହୀଙ୍କୁ ପିଛା କରି ବୁଲେଟ ରେ ଆସି ଜିମ୍ ସମ୍ମୁଖରେ ବୋମା ମାଡ଼ କରି ଚମ୍ପଟ ମାରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଜଣା ଦୁର୍ବୃତ୍ତଙ୍କ ଟାର୍ଗେଟରେ ଥିବା ଯୁବକଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚୁରା ଚଳାଇଛନ୍ତି।ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ ପୋଲିସ ତାଙ୍କ ନାଁ ପ୍ରକାଶ କରିବାକୁ ମନା କରିଦେଇଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ଏନେଇ ଥାନାରେ କୌଣସି ଏତଲା ହୋଇ ନଥିବା ଥାନାଧିକାରୀ ଜଣାଇଛନ୍ତି।