ବୋର୍ଡ ପରୀକ୍ଷା ଚାଲିଛି ଏମିତି, ଜେରକ୍ସ ପ୍ରଶ୍ନପତ୍ରରେ ହେଲା ପରୀକ୍ଷା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜିଠାରୁ ଆରମ୍ଭ ହୋଇଛି ବୋର୍ଡ ଦ୍ୱାରା ପରିଚାଳିତ ସମେଟିଭ-୧ ପରୀକ୍ଷା ।ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଭଳି ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ର ଗୁଡିକରେ ପରୀକ୍ଷା କରାଯାଇଛି । କିନ୍ତୁ ଆରମ୍ଭରୁ ମୁଣ୍ଡରେ ଚାଳ ବାଜିବା ଭଳି ଆଜି ଏକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ନପହଞ୍ଚିବାରୁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥାନ୍ତେ । ମାତ୍ର ସୁପରିଟେଣ୍ଡଣ୍ଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ପରୀକ୍ଷାର୍ôଥ ମାନେ ଠିକ ସମୟରେ ପରୀକ୍ଷା ଦେଇପାରିଛନ୍ତି । ସୁଚନାରୁ ଜଣାଯାଇଛି ଯେ ଗୋପାଳ ଚନ୍ଦ୍ର ବାଳିକା ଉଚ୍ଚ ବିଦ୍ୟାଳୟ ଓରାଳି ପରୀକ୍ଷାକେନ୍ଦ୍ରରେ ଜେରକ୍ସ ପ୍ରଶ୍ନପତ୍ରରେ ପରୀକ୍ଷା କରାଯାଇଛି । ଏଠାରେ ୩୧ଜଣ ମଧ୍ୟମା ପରୀକ୍ଷାର୍ଥୀ ସଂସ୍କୃତ ପରୀକ୍ଷା ଦେବାକୁ ଥିବାବେଳେ ପରୀକ୍ଷା ପ୍ରଶ୍ନପତ୍ର ପହଞ୍ଚି ପାରି ନଥିଲା । ପ୍ରଶ୍ନପତ୍ରକୁ ଚାହିଁ ଚାହିଁ ପରୀକ୍ଷା ପରିଚାଳକ ହତାଶ ହୋଇପଡିବା ବେଳେ ଛାତ୍ରଛାତ୍ରୀ ମାନେ ଏହା ଶୁଣିବା ପରେ ନିରାଶ ହୋଇ ପଡିଥିଲେ । ମାତ୍ର ସୁପରିଟେଣ୍ଡଣ୍ଟ ଏନେଇ ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଖବରପାଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ତୁରନ୍ତ ଏହି ପରୀକ୍ଷାକେନ୍ଦ୍ରରେ ପହଞ୍ଚି ବୋର୍ଡ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବାପରେ ବୋର୍ଡ କର୍ତ୍ତୁପକ୍ଷ ତୁରନ୍ତ ଇ-ମେଲରେ ପ୍ରଶ୍ନପତ୍ର ପଠାଇବା ପରେ ତାହାର ଜେରକ୍ସ ବାହାର କରାଯାଇ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯାଇଥିବା ପରୀକ୍ଷା ସୁପରିଟେଣ୍ଡଣ୍ଟ ଅନିଲ କୁମାର ସିଂ ପ୍ରକାଶ କରିଛନ୍ତି ।