ବୋର୍ଡ଼କୁ ୧୦ ଦିନର ମହଲତ ଦେଲେ ମହାସଂଘ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାର ଓଟିଇଟି ପରୀକ୍ଷା ନିୟନ୍ତ୍ରଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ଷକୁ ୨ଥର ଓଟିଇଟି ପରୀକ୍ଷା ହେବାକୁ ନିୟମ ଥିବାବେଳେ ପରୀକ୍ଷା କେବେ ହେଉଛି ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ । ଏପଟେ ରାଜ୍ୟରେ ଗଣଶିକ୍ଷକ, ଶିକ୍ଷା ସହାୟକମାନେ ଓଟିଇଟି ଯୋଗ୍ୟତା ହାସଲ କଲେ ନିୟମିତ ଶିକ୍ଷକ ହେବା ପାଇଁ ନିର୍ଦ୍ଦେଶ ଥିବାରୁ ସେମାନେ ନିୟମିତ ହେବାରୁ ବଞ୍ôଚତ ହୋଇଛନ୍ତି । ଓଟିଇଟି ପରୀକ୍ଷାର କୌଣସି ନିର୍ଦ୍ଦିଷ୍ଟତା ନଥିବା ବେଳେ ଦୀର୍ଘ ଦୁଇବର୍ଷ ବ୍ୟବଧାନରେ ଗତ ୧୬.୦୧.୨୦୧୯ରିଖରେ ଓଟିଇଟି ପରୀକ୍ଷା ହୋଇଥିଲା । ସେହି ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ଆଳ ଦେଖାଇ ବୋର୍ଡ଼ କର୍ତ୍ତୃପକ୍ଷ ବିନା ତଦନ୍ତ ଓ ପ୍ରମାଣରେ ବାତିଲ୍ କରିଥିଲେ । ଫଳରେ ୧,୨୬୦୦୦ ପରୀକ୍ଷାର୍ଥୀ ହତାସ ହୋଇଥିଲେ । କିଏ ଭାଇରାଲ କଲା, କେଉଁଠୁ ଭାଇରାଲ ହେଲା ଅଦ୍ୟାବଧି ପ୍ରମାଣିତ ହୋଇନାହିଁ । ପ୍ରକୃତ ଦୋଷୀଙ୍କୁ ଧରାନଯାଇ ୧,୨୬,୦୦୦ ପରୀକ୍ଷାର୍ଥୀଙ୍କୁ ଏକତରଫା ନିଷ୍ପତ୍ତିରେ ମନଇଚ୍ଛା ଦଣ୍ଡିତ କରାଗଲା । ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପୂର୍ବରୁ ଦୀର୍ଘଦିନ ପ୍ରସ୍ତୁତି ହୋଇଥାଏ । ପରୀକ୍ଷାର ବିଧିବ୍ୟବସ୍ଥା ଅନୁଯାୟୀ ଅତିବେଶୀରେ ଏକମାସ ମଧ୍ୟରେ ପୁନଃ ପରୀକ୍ଷା କରିବା କଥା । କିନ୍ତୁ ବୋର୍ଡ଼ ତାହା ନ କରି ଆଠମାସ ବିଳମ୍ବରେ ଗତ ୦୫.୦୮.୨୦୧୯ରିଖ ଠାରୁ ଦିନକୁ ତିନି ପର୍ଯ୍ୟାୟରେ ଓଟିଇଟି ପରୀକ୍ଷା କରୁଛନ୍ତି । ବାହାର ରାଜ୍ୟର ସଂସ୍ଥାକୁ ଟେଣ୍ଡର ଦେଇ ବୋର୍ଡ଼ କର୍ତ୍ତୃପକ୍ଷ ହାତ ବାନ୍ଧି ବସିଛନ୍ତି । ପରୀକ୍ଷାର୍ଥୀମାନେ ଓଡ଼ିଆ ଭାଷା ଚୟନ କରିଥିବା ବେଳେ ପ୍ରଶ୍ନପତ୍ରରେ ଭାଷାର ସାମଞ୍ଜସ୍ୟତା ରହୁନଥିବାରୁ ଅନେକ ପରୀକ୍ଷାର୍ଥୀ ପ୍ରକାଶ କରିଛନ୍ତି । ଏପରିକି ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ସହିତ ଯେଉଁ ଭାଷାରେ ଅନୁବାଦ କରାଯାଇଛି ତାହା ମାତୃଭାଷା ନହୋଇ ତେଲୁଗୁ, ବଙ୍ଗାଳୀ ଭଳି ମନେ ହେଉଛି । ଯଦ୍ଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରଶ୍ନକୁ ସଠିକ ଭାବରେ ବୁଝିବାରେ ଅସହାୟତା ପ୍ରକାଶ କରୁଛନ୍ତି । ଏହାବ୍ୟତୀତ ଅନ୍ଲାଇନ୍ ପରୀକ୍ଷା ପାଇଁ ବିଜ୍ଞାପନ ବେଳେ ସଠିକ ସୂଚନା ଦିଆଯାଇ ନାହିଁ ଏବଂ ଅନ୍ଲାଇନ୍ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅଭ୍ୟାସ କରିବା ପାଇଁ ସମୟ ଦିଆଯାଇ ନାହିଁ । ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁଁ ହଜାର ହଜାର ପରାୀକ୍ଷାର୍ଥୀ ସମସ୍ୟା ଭୋଗୁଛନ୍ତି । ଓଟିଇଟି ପରୀକ୍ଷାକୁ ସ୍ୱଚ୍ଛତା କରିବା ଆଳରେ ଅନ୍ଲାଇନ୍ରେ ପରୀକ୍ଷା କରାଗଲା କିନ୍ତୁ ତାହା ମଧ୍ୟ ଭାଇରାଲ୍ ହେଲା । ବୋର୍ଡ଼ କର୍ତ୍ତୃପକ୍ଷ ଅନ୍ଲାଇନ୍ ପ୍ରଶ୍ନର ଭାଇରାଲକୁ ସ୍ୱୀକାର କରିଛନ୍ତି । କିନ୍ତୁ ପରୀକ୍ଷା ସରିବାର ୨ ଘଣ୍ଟା ପରେ ପରୀକ୍ଷାକୁ ବାତିଲ୍ କରାଗଲା । ଫଳରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା । ସେତେବେଳେ ଏ ନେଇ ମହାସଂଘ ତରଫରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରାଯାଇ ନାହିଁ । ବର୍ତ୍ତମାନ ଓଟିଇଟି ପରୀକ୍ଷା ପାଇଁ ହଜାର ହଜାର ପରୀକ୍ଷାର୍ଥୀ ଆଶା ଭରଷା କରି ରହିଥିବା ବେଳେ ଏହା ଧର୍ମକୁ ଆଖିଠାର ସଦୃଶ ହୋଇପଡ଼ିଛି ।ଆସନ୍ତା ୧୦ ଦିନ ମଧ୍ୟରେ ଏ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବର୍ତ୍ତମାନ ଖାମଖିଆଲ ଭାବରେ ଅନ୍ଲାଇନ୍ ପରୀକ୍ଷା କରୁଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ୧୬.୦୧.୨୦୧୯ରିଖରେ ହୋଇଥିବା ଓଟିଇଟି ପରୀକ୍ଷା ଫଳ ପ୍ରକାଶ କରାଯାଉ । ନଚେତ୍ ମହାସଂଘ ତରଫରୁ ସମସ୍ତ ଓଟିଇଟି ପରୀକ୍ଷାର୍ଥୀଙ୍କୁ ନେଇ ବୋର୍ଡ଼ ସଭାପତିଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହିତ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ମହାସଂଘର ସଭାପତି ଶିବଲାଲ ସାହୁ, ସମ୍ପାଦକ ବୁଲୁ ବେହେରା, କୋଷାଧ୍ୟକ୍ଷ ଅନୀୟ ବରାଳ, ଉମାକାନ୍ତ ନାୟକ, ବିଭୂତି ତ୍ରିପାଠୀ, ସୁପ୍ରୀତି ଖୁଣ୍ଟିଆ ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି