ବୋଲଗଡ-ବେଗୁନିଆ କଂଗ୍ରେସର ସମୀକ୍ଷା ବୈଠକ
ବୋଲଗଡ଼ (ଯୁଗାବ୍ଦ ନ୍ୟୁଜ୍): ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ବିଧାନସଭା କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ ନେଇ ଏକ ସମୀକ୍ଷା ବୈଠକ ସୋମବାର ଅପରାହ୍ନରେ ପିଚୁକୁଳି ପଞ୍ଚାୟତସ୍ଥ ଟିକାତାଳ ଆମ୍ବ ପଡିଆଠାରେ ଅନୁଷ୍ଠିତ ହୋଇଛି । ବେଗୁନିଆର ପୂର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ, ନବକିଶୋର ସ୍ୱାଇଁ, ବଂଶୀଧର ସାହୁ, ଗଦାଧର ଚମ୍ପତି, ପୁର୍ବତନ ସରପଞ୍ଚ ହାଡୁବନ୍ଧୁ ମହାପାତ୍ର, ସୁଦର୍ଶନ ବେହେରା,ପୂର୍ବତନ ସମିତିସଭ୍ୟ ବିପିନ ମହାପାତ୍ର, ବାବୁ ଦାସ, ବିଜୟ ସେଠୀ, ଅଜୟ ମଙ୍ଗରାଜ, ଲକ୍ଷ୍ମଣ ସେଠୀ, ସଚ୍ଚି ପଟ୍ଟନାୟକ, ଧିରେଶ ମହାପାତ୍ର, ଅଜୟ ରଥ, ରଘୁନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଜନାଦେଶକୁ ସମ୍ମାନ ଦେବା ସହ ବେଗୁନିଆ, ବୋଲଗଡର ସମସ୍ତ ଭୋଟର ଭାଇଭଉଣୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ନିଃସର୍ତ୍ତ ସମର୍ଥନ ଦେଇଥିବା ସ୍ୱାଭିମାନ ମଞ୍ଚ ଓ କମ୍ୟୁନିଷ୍ଟ ପାର୍ଟିକୁ ଧନ୍ୟବାଦ ଦେଇଥିଲେ । ଏହି ଅଂଚଳର ପ୍ରାର୍ଥୀଭାବେ ତାଙ୍କ ସପକ୍ଷରେ ଅନ୍ତଃ ସ୍ରୋତ ଥିବା ବେଳେ କେଉଁ କାରଣରୁ ତାଙ୍କର ପରାଜୟ ଘଟିଲା ତାହା ଉପରେ ବିଶେଷ ଭାବରେ ସମୀକ୍ଷା କରାଯାଇଥିଲା । ତେବେ ତାଙ୍କ ପ୍ରତି ରହିଥିବା ବିପୁଳ ଜନସମର୍ଥନକୁ ପାଥେୟ କରି ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ସମସ୍ତ ଜନହିତକାରୀ କାର୍ୟ୍ୟକ୍ରମରେ ସାମିଲ ହେବା ସହ ପ୍ରତ୍ୟେକଙ୍କୁ ସାଥିରେ ନେଇ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଉପସ୍ଥିତ କର୍ମୀମାନେ ପ୍ରସ୍ତାବ ଦେଇଥିଲେ । ଚଳିତ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି,ସ୍ୱାଭିମାନ ମଞ୍ଚ ସହଯୋଗ କରିଥିବାରୁ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ରହିଥିଲା । ମାତ୍ର କିଛି ଦଳୀୟ କର୍ମୀଙ୍କ ବିଶ୍ୱାସ ଘାତକତା ଯୋଗୁଁ ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି । କର୍ମୀ ମାନଙ୍କ ମଧ୍ୟରେ ଏନେଇ ଗରମାଗରମ ଆଲୋଚନା ହୋଇଛି । ଏସଂପର୍କରେ ସମସ୍ତ ତଥ୍ୟ ପିସିସିକୁ ଜଣାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଦଳକୁ ଅଧିକ ମଜଭୁତ କରିବାକୁ ଉପସ୍ଥିତ କର୍ମୀ ଶପଥ ଗ୍ରହଣ ସହ ଦଳୀୟ ସଙ୍ଗଠନକୁ ମଜଭୁତ୍ କରିବାକୁ ଆହ୍ୱାନ ଦେଇଛନ୍ତି ।