ବୋଲେରୋ ସହ ୨୪କିଲୋ ଗଞ୍ଜେଇ ଜବଦ କଲା ସୋସୋ ପୁଲିସ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ସୋସୋ ଥାନା ପୁଲିସ ଏକ ବୋଲେରୋ ଗାଡି ସହିତ ୨୪କିଲୋ ଗଞ୍ଜେଇ ଜବଦ କରିବା ସହିତ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାଯାଇଛି । ଏହି ଘଟଣାରେ ଅନ୍ୟ ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଛି । ଖବରରୁ ଜଣାଯାଇଛି ଯେ ଗତକାଲି ଏକ ବିଶେଷ ସୁତ୍ରରୁ ଖବରପାଇ ସୋସୋ ପୁଲିସ ଛେନାପଦି-ହଦଗଡ ରାସ୍ତାରେ ଛକି ବସିଥିବାବେଳେ ସେହି ରାସ୍ତାଦେଇ ଯାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଧରିବା ସହ ତାଙ୍କ ନିକଟରୁ ପାଖାପାଖି ୪କିଲୋ ଗଞ୍ଜେଇ ଜବଦ କରିଥିଲେ । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହାଟଡିହିରୁ ଉଠିଆସି ପୋଡାସିଙ୍ଗିଡି ଗାଁରେ ରହୁଥିବା ରବିନ୍ଦ୍ର ମୁଦୁଲି ହୋଇଥିବାବେଳେ ଅନ୍ୟ ଜଣଙ୍କ ଘର ବିହାର ପାଟଣା ଅଞ୍ଚଳର ବୋଲି ଜଣାଯାଇଛି । ପୋଡାସିଙ୍ଗିଡି ଗ୍ରାମର ବ୍ୟକ୍ତି ଜଣକ ଜଣେ ପେଷାଦାର ଚୋରା ଗଞ୍ଜେଇ ବେପାରୀ ହୋଇଥିବା ପୁଲିସ ଜାଣିବାପରେ ଆଜି ସକାଳୁ ସୋସୋ ଥାନା ଆଇଆଇସି ଉପେନ୍ଦ୍ର ନାଥ ଦାଶ ସଦଳବଳେ ରବିନ୍ଦ୍ରଙ୍କ ପୋଡାସିଙ୍ଗିଡି ଘରେ ଚଢ଼ାଉ କରି ତାଙ୍କ ଘର ବାଡିରେ ଥିବା ଓଡି୦୨-ଏ.ଏସ.୪୧୬୯ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡି ଠାବ କରିବାପରେ ତା ଭିତରେ ୨୦କିଲୋରୁ ଉର୍ଦ୍ଧ ଗଞ୍ଜେଇ ପାଇଥିଲେ । ବୋଲେରୋ ଗାଡିର ଚାବି ନଥିବା ରବିନ୍ଦ୍ର କହିବାରୁ ପୁଲିସ ବାଧ୍ୟ ହୋଇ ଗାଡିକୁ ଟାଣି ଟାଣି ଥାନାକୁ ନେଇଥିଲା । ରବିନ୍ଦ୍ର ଅନେକ ବର୍ଷ ହେଲା ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଆଣି ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଏଜେଣ୍ଟ ନିଯୁକ୍ତ କରି ଚୋରାରେ ଗଞ୍ଜେଇ ବିକ୍ରୀ କରିବା ସହିତ ବାହାର ରାଜ୍ୟକୁ ମଧ୍ୟ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏପରିକି ପୁର୍ବରୁ ମଧ୍ୟ କେନ୍ଦ୍ରୀୟ ଅବକାରୀ ବିଭାଗ ପକ୍ଷରୁ ତା ଘରେ ଚଢ଼ାଉ କରାଯାଇ ବହୁ ପରିମାଣର ଗଞ୍ଜେଇ ଜବଦ କରାଯାଇଥିଲା । ବର୍ଷବର୍ଷ ଧରି ରବିନ୍ଦ୍ର ମୁଦୁଲି ଏହି କାରବାର ଚଳାଇ ଆସୁଥିଲେବି ପୁଲିସ କି ଅବକାରୀ ବିଭାଗ କେହି ଏଥିପ୍ରତି ଦୃଷ୍ଟି ଦେଉ ନଥିଲେ । ସୋସୋ ଥାନାର ନୁତନ ଥାନା ଅଧିକାରୀଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସନ୍ଧ୍ୟାରେ ଆନନ୍ଦପୁର ଏସଡିପିଓ ଅନିଲ ବେଉରିଆ ସୋସୋ ଥାନାରେ ପହଞ୍ଚି ଅଭିଯୁକ୍ତକୁ ଅଧିକ ପଚରା ଉଚୁରା କରୁଛନ୍ତି ।


