ବୌଦ୍ଧପୀଠ ବିକାଶ ପରିଷଦ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଯମଧର୍ମ ବୌଦ୍ଧ ବିହାର ଉଚ୍ଚ ବିଦ୍ୟାଳୟ ପରିସରରେ କୁରୁମ ବୌଦ୍ଧପୀଠ ବିକାଶ ପରିଷଦ ପକ୍ଷରୁ ୧୭୪ ତମ ମଧୁବାବୁ ଜୟନ୍ତୀ ଓ ସମ୍ବର୍ଧନା ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଥିବା ମଧୁବାବୁ ଓ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ, ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ପୁରୀ ଦଳନଇ ବିନାୟକ ଇଂରାଜୀ ମାଧ୍ୟମ ସ୍କୁଲ୍ ଛାତ୍ରୀ ମାନଙ୍କ ସ୍ୱାଗତସଙ୍ଗୀତ ଦ୍ବାରା ସଭା ଆରମ୍ଭ କରାଯାଇଥିଲା। ବିଶିଷ୍ଟ ଗବେଷକ ବ୍ରଜବନ୍ଧୁ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ, ମୁଖ୍ୟବକ୍ତା ଭାବେ ପଣ୍ଡିତ ତ୍ରିଲୋଚନ ମିଶ୍ର ଯୋଗଦେଇ ମଧୁବାବୁଙ୍କ ଜୀବନୀ, ଓଡ଼ିଶା ପ୍ରଦେଶ ପାଇଁ ତାଙ୍କର ବିରଳ ଅବଦାନ ବର୍ଣ୍ଣନା କରିବା ସହ ଓଡିଆ ଜାତିର ପିତାମହ ଭୀଷ୍ମ କୁଳବୃଦ୍ଧ ମଧୁସୂଦନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଦେବେନ୍ଦ୍ର ନାଥ ଦାଶଙ୍କୁ ହାଡିବନ୍ଧୁ ସ୍ଵାଇଁ ସ୍ମୃତି ସମ୍ମାନ ଓ ଅବସରପ୍ରାପ୍ତ ଏବିଇଓ ସ୍ଵର୍ଣ୍ଣଲତା ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଲଲାତେନ୍ଦୁ ସ୍ଵାଇଁ, ଓଡ଼ିଶା ପ୍ରସିଦ୍ଧ ବ୍ୟଙ୍ଗକବି ସମ୍ପଦ କୁମାର ରଥ, ଶକ୍ତିଦେବ ଶତପଥି, ଶିକ୍ଷାବିତ ମନମୋହନ ସ୍ଵାଇଁ, ସୁରେନ୍ଦ୍ରନାଥ ବିଶ୍ଵାଳ, ତପନ ନାୟକ, ରତ୍ନାକର ନାୟକ ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ସ୍ୱର୍ଣୀମ ଇତିହାସ ଓ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ମେଘନାଦ ସ୍ଵାଇଁ ଅତିଥି ପରିଚୟ ପ୍ରଦାନ, ଉପଦେଷ୍ଠା ସୁଧୀର ଚନ୍ଦ୍ର ଭୂୟାଁ ଉତ୍ସବର ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିଥିବା ବେଳେ ସମ୍ପାଦକ ମଙ୍ଗରାଜ ବିଶ୍ଵାଳ ବାର୍ଷିକ ବିବରଣୀ ପ୍ରଦାନ ସହ ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷକ ପ୍ରବୀଣ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଚିତ୍ତରଞ୍ଜନ ବିଶ୍ଵାଳ, ଗନ୍ଧର୍ବ ସେନାପତି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ