ବୌଦ୍ଧିକ ବାଧକ ଶିକ୍ଷାର୍ଥୀଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ବୌଦ୍ଧିକ ବାଧକ ଶିକ୍ଷାର୍ଥୀମାନଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ କରାଯାଇଛି । ସମଗ୍ର ଶିକ୍ଷା ଅଭିଯାନ ଓ ସିକନ୍ଦରାବାଦ ସ୍ଥିତ ବୌଦ୍ଧିକ ବାଧକ ଦିବ୍ୟାଙ୍କ ଶିକ୍ଷାର୍ଥୀମାନଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା ଜାତୀୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଜି.କୁଜୁର ମୁଖ୍ୟଅତିଥି ଭାବେ ଯୋଗଦେଇ ବୌଦ୍ଧିକ ବାଧକ ଶିକ୍ଷାର୍ଥୀମାନଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ସମୁଦାୟ ୫୦ ଜଣ ବୌଦ୍ଧିକ ବାଧକ ଶିକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକ ଏହି ଉପକରଣ ଗ୍ରହଣ କରିଥିଲେ । ‘ବୌଦ୍ଧିକ ଅକ୍ଷମତା ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଉପକରଣର ଦୈନନ୍ଦୀନ ଉତ୍ତମ ବ୍ୟବହାର ଫଳରେ ସେମାନଙ୍କର ବୌଦ୍ଧିକ ବିକାଶ ସମ୍ଭବ ହୋଇପାରିବ ବୋଲି ମୁଖ୍ୟଅତିଥି ନିଜର ବକ୍ତବ୍ୟ ରଖିଥିଲେ । ବ୍ଲକସ୍ତରରେ ଓ ପଞ୍ଚାୟତସ୍ତରରେ ନିଯୁକ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷକ ଓ ଶିକ୍ଷା ସ୍ୱେଚ୍ଛାସେବୀ ବିଭିନ୍ନ ବିଦ୍ୟାଳୟ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କର ଘରକୁ ନିୟମିତ ଭ୍ରମଣ କରି ଏହି ଉପକରଣ ସୁବ୍ୟବହାର ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଆବଶ୍ୟକ ବୋଲି ଜାତୀୟ ୂବୌଦ୍ଧିକ ଅକ୍ଷମତା ସଶକ୍ତିକରଣ ଅନୁଷ୍ଠାନର ସଂଯୋଜକ ଦେବାଶିଶ ରାଉତ୍ ପରାମର୍ଶ ଦେଇଛନ୍ତି । ସମସ୍ତଙ୍କର ମିଳିତ ସହଯୋଗରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ପ୍ରଗତି ସମ୍ଭବ ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ କହିଛନ୍ତି । ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ଅର୍ଥପରାମର୍ଶଦାତ ମଧୁସୂଦନ ପରିଡାଙ୍କ ସମେତ ସମସ୍ତ ଜିଲ୍ଲା ସଂଯୋଜକ ଏବଂ ଗୋଷ୍ଠୀ ସମ୍ବଳ ଶିକ୍ଷକମାନେ ସହଯୋଗ କରିଥିଲେ ।


