ବ୍ରହ୍ମକୁମାରୀ ପରିବାର ତରଫରୁ ଖୁସନୁମା ଜିନ୍ଦେଗୀ କାର୍ଯ୍ୟକ୍ରମ
ଆସିକା (ଜୁଗାବ୍ଦ ନ୍ୟୁଜ୍): ଶାନ୍ତି, ଆନନ୍ଦ ପାଇଁ ସକରାତ୍ମକ ବିଚାର, ଦିବ୍ୟ ଆଧ୍ୟାତ୍ମିକ ବାର୍ତ୍ତା ଦେଉଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଗୋବରା କେନ୍ଦ୍ର ପକ୍ଷରୁ ଖୁସନୁମା ଜିନ୍ଦେଗୀ ନାମକ ଏକ ସୁନ୍ଦର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟ୍ ଆବୁ ଠାରୁ ଜ୍ଞାନାମୃତ ପତ୍ରିକାର ସଂପାଦିକା ତଥା ବିଶିଷ୍ଟ ସାଧିକ ବ୍ରହ୍ମକୁମାରୀ ରାଜଯୋଗିନୀ ଉର୍ମିଳା ଦିଦିଜୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମଣିଷ ଜୀବନରେ ଶାନ୍ତି ଆଉ ଆନନ୍ଦର ମାର୍ଗଦର୍ଶନ କରିଥିଲେ । ମଣିଷ ଭିତରେ ହିଁ ଆନନ୍ଦର ଉତ୍ସ ରହିଛି । କସ୍ତୁରୀ ମୃଗ ଭଳି ମଣିଷ ଶାନ୍ତି, ଆନନ୍ଦ ପାଇଁ ଇତଃସ୍ତତଃ ହେଉଛି ବୋଲି ମତବ୍ୟକ୍ତ କରି ସକରାତ୍ମକ ଭାବେ ବୈଚାରିକ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ । ଆସିକା କେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ପ୍ରଭାତିଙ୍କ ପରିଚାଳନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ କ୍ଷତ୍ରିୟବରପୁର ଆଞଚଳିକ ବିଜ୍ଞାନ କଲେଜ ଅଧ୍ୟକ୍ଷ ଭ୍ରାତା ଅମୂଲ୍ୟ ଦାସ ଓ ସମାଜସେବୀ ଦ୍ୱିତୀକୃଷ୍ଣ ସାହୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯେଗ ଦେଇଥିଲେ । ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଶୁଭ ଦେବା ସହ କେକ୍ କାଟି ବ୍ରହ୍ମକୁାରୀ ଦିଦି ଉର୍ମିଳା ଈଶ୍ୱରୀୟ ଆଶିର୍ବାଦ କାମନା କରିଥିଲେ । ଅଞ୍ଚଳରୁ ଶିକ୍ଷାନୁଷ୍ଠାନଗୁଡ଼ିକକୁ ବହୁ ଶିକ୍ଷାବିତ୍, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କ୍ଷତ୍ରିୟ ବରପୁର କଲେଜ ତରଫରୁ ସ୍ୱତନ୍ତ୍ର ଭାବେ ବ୍ରହ୍ମକୁମାରୀ ଉର୍ମିଳା ଦିଦିିଙ୍କୁ ଅଧ୍ୟାପିକା ରୁନିବାଳା ତ୍ରିପାଠୀ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । କେନ୍ଦ୍ର ସହ ଜଡ଼ିତ ବ୍ରହ୍ମକୁମାର, ବ୍ରହ୍ମକୁମାରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । କେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ଭଗ୍ନୀ ଯାଜ୍ଞସେନୀ, ଭ୍ରାତା ବନାମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ରହ୍ମକୁମାରୀ ଯାଜ୍ଞସେନୀ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ।


