ବ୍ରହ୍ମଗିରିରେ ରାହାଜାନି ବଢ଼ୁଛି ରାତିଅଧିଆ ଡକାୟତି: ପୁଲିସର ମୁଣ୍ଡବିନ୍ଧାର କାରଣ
ବ୍ରହ୍ମଗିରି (ଜୁଗାବ୍ଦ ନ୍ୟୁଜ୍): ବ୍ରହ୍ମଗିରି ଅଞ୍ଚଳରେ ଦିନକୁ ଦିନ ରାହାଜାନି, ଡକାୟତି ବଢିବଢି ଚାଲିଛି । ପୁଲିସ ଯେତେ ଜାଲ ବିଛାଇଲେ ସୁଦ୍ଧା ଡକାୟତି ରୋକିବାରେ ସଫଳ ହେଉନାହିଁ । ଫଳରେ ପ୍ରତିଦିନ ରାତିରେ ଘଟୁଥିବା ଡକାୟତି ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଶନିବାର ବିଳମ୍ବିତ ରାତିରେ ବ୍ରହ୍ମଗିରି ଅଞ୍ଚଳର ମିର୍ଜାପୁର ରାସ୍ତାରେ ଏକ ଡକାୟତି ହୋଇଥିବା ବେଳେ ରେଣ୍ଢା ଛକଠାରେ ମଧ୍ୟ ଡକାୟତି ହୋଇଛି । ଏ ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ଖବର ଅନୁସାରେ ଶନିବାର ରାତି ପ୍ରାୟ ୧୨ଟା ପରେ ରାୟଘାଟ ଗ୍ରାମର ଦୀପକ କୁମାର ଜେନା ବାଇକ୍ରେ ନିଜ ଗାଁକୁ ଫେରୁଥିବା ସମୟରେ ଖଜୁରିଆ ରାସ୍ତାର ମିର୍ଜାପୁର ଛକଠାରେ ହଠାତ ଏକ ଅଟୋ ମଧ୍ୟରୁ ଦୁଇଜଣ ଯୁବକ ଓହ୍ଲାଇ ଆସି କାଠ ରୋଳାରେ ମାଡ ମାରିଥିଲେ । ଦିପକଙ୍କ ପାଖରେ ଥିବା ପ୍ରାୟ ୧ହଜାର ୮ଶହ ଟଙ୍କା, ପର୍ସ, ସମସ୍ତ ପ୍ରମାଣପତ୍ର ଇତ୍ୟାଦି ନେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ । ଅନ୍ୟ ପକ୍ଷରେ ରେଣ୍ଢା ଛକଠାରେ ଅବିକଳ ଘଥଟଣା ଘଟିଛି । ସେହିଭଳି ନୟାଗଡ ରଣପୁର ଅଞ୍ଚଳରୁ ଆସୁଥିବା ଏକ କାଠ ବୋଝେଇ ଟ୍ରକକୁ ଓଗାଳି ଚାଳକଙ୍କୁ ମାଡ଼ ମାରିବା ସହ ୧୦ ହଜାର ଟଙ୍କା ନେଇଯାଇଥିବା ଜଣାପଡିଛି । ଡକାୟତଙ୍କ ମାଡ଼ରେ ହାତଭାଙ୍ଗି ଗୁରୁତର ହୋଇଥିବା ଦୀପକ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।