ବ୍ରହ୍ମପୁରରୁ ଗଡ଼ିବନି ଘରୋଇ ବସ୍

ବ୍ରହ୍ମପୁର: ବ୍ରହ୍ମପୁର ବସଷ୍ଟାଣ୍ଡ ରୁ ରାଜ୍ୟର ଅନ୍ୟ ସ୍ଥାନକୁ ଗଡ଼ିବନି ଘରୋଇ ବସ୍ । ହଳଦିଆ ପଦର ବସଷ୍ଟାଣ୍ଡରୁ ବସ୍ ଚଳାଚଳ ନେଇ ଘରୋଇ ବସ୍ ମାଲିକ ସଂଘ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି । ନୂଆ ବସଷ୍ଟାଣ୍ଡ ତିଆରି ହେବା ଯାଏ ବସ୍ ସେବା ବନ୍ଦ ରଖାଯିବ ବୋଲି ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ବ୍ରହ୍ମପୁର ବସଷ୍ଟାଣ୍ଡ ଉନ୍ନତିକରଣ କାମ ଆରମ୍ଭ ହେଉଥିବାରୁ ହଳଦିଆପଦର ବସ୍ ଟର୍ମିନାଲରୁ ବସ୍ ଚଳାଚଳ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ ଘରୋଇ ବସ୍ ମାଲିକ ସଂଘ ଏହାକୁ ବିରୋଧ କରୁଛି ।
ମଙ୍ଗଳବାରଠାରୁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡର ଉନ୍ନତିକରଣ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ସକାଳ ୮ଟାରେ ବିଡ଼ିଏ ଉପାଧ୍ୟକ୍ଷ ତଥା ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି । ପୂର୍ବରୁ ଯାତ୍ରୀମାନଙ୍କ ଅଭିଯୋଗ  ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ଅଧିନରେ ଥିବା ନୂଆ ବସଷ୍ଟାଣ୍ଡ ର ଉନ୍ନତିକରଣ ଓ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ୯୭ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରି ଟେଣ୍ଡର ପ୍ରକ୍ରିୟା କରାଇଥିଲା । ଟେଣ୍ଡର ପ୍ରକ୍ରିୟା ଖୋଲାଯିବା ପରେ ଏହାର କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ ପ୍ରକାରେ ବିଡିଏ ଉପାଧ୍ୟକ୍ଷ ତାଙ୍କ ଚିଠି ନମ୍ବର ୧୪୯୩/୧୯ ତା: ୧୫.୧୧.୧୯ରେ ଏକ ନୋଟିସ୍ ବାହାର କରି ବିଭିନ୍ନ ଗଣମାଧ୍ୟମ ଜରିଆରେ ସର୍ବସାଧାରଣଙ୍କୁ ଜଣାଇବା ସହ ଘରୋଇ ବସ୍ ମାଲିକଙ୍କୁ ଲିଖିତ ଆକାରରେ ଜଣାଇଥିଲେ । ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଏଠାକୁ ଦୈନନ୍ଦିନ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ହଳଦିଆପଦର ବସ୍ ଟର୍ମିନାଲକୁ ଯିବା ପାଇଁ ରୁଟ୍ ମଧ୍ୟ ପ୍ରସ୍ତୁତ କରିଥିଲେ । ତେବେ ସୋମବାର ଦିନ ଗଞ୍ଜାମ ବସ୍ ମାଲିକ ସଂଘ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରିଛି । ବସ୍ ନ ଚଳାଇ ନିଜ ଘର ଆଗରେ ରଖିଦେବୁ ବୋଲି ମାଲିକମାନେ ରୋକଠୋକ୍ କହିଛନ୍ତି । ବସ୍ ମାଲିକଙ୍କ ଏଭଳି ବେଖାତିର ମନୋଭାବ ଯୋଗୁଁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ନିଶ୍ଚିତ ହୋଇପଡ଼ିଛି । ପୂର୍ବରୁ ସହରର ଟ୍ରାଫିକ ସମସ୍ୟା ଦୂର କରିବା ଲକ୍ଷ୍ୟରେ ହଳଦିଆପଦରଠାରେ ୧୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବାରମ୍ବାର ସରକାରୀ ଓ ବେସରକାରୀ ଯାତ୍ରୀବାହି ବସ୍ ଚଳପ୍ରଚଳକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଘରୋଇ ବସ୍ ମାଲିକଙ୍କ  ମନୋଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିଲା । ଗତ ଅକ୍ଟୋବର ୨ତାରିଖଠାରୁ ସରକାରୀ ବସ୍ ସେଠାରୁ ଚଳାଚଳ କରୁଥିଲେ ମଧ୍ୟ ଘରୋଇ ବସ୍ କିନ୍ତୁ ସିଟି ବସଷ୍ଟାଣ୍ଡ ତଥା ନୂଆ ବସଷ୍ଟାଣ୍ଡ ରୁ ଦୈନନ୍ଦିନ ଚଳାଚଳ କରୁଥିଲା । ହେଲେ ଗତ କିଛି ଦିନ ତଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ମଙ୍ଗଳବାରଠାରୁ ନୂଆ ବସଷ୍ଟାଣ୍ଡ କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମରାମତି କାର୍ଯ୍ୟ ହେବାକୁ ଥିବାରୁ ୨ମାସ ପାଇଁ ନୂଆ  ବସଷ୍ଟାଣ୍ଡ  କୁ ବନ୍ଦ କରି ସମସ୍ତ ବସ୍ ହଳଦିଆପଦରରୁ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି । କେଉଁ ରୁଟ୍ର ବସ୍ କେଉଁ ବାଟ ଦେଇ ହଳଦିଆପଦର ବସଷ୍ଟାଣ୍ଡ କୁ ଯିବ ତାହାର ମଧ୍ୟ ଚାର୍ଟ ପ୍ରସ୍ତୁତ କରାଯାଇଛି । ଫୁଲବାଣୀ,ଭଞ୍ଜନଗର, ଆସିକା, ପୁରୁଷୋତ୍ତମପୁର, ଦିଗପହଣ୍ଡି ଦେଇ ଯିବା ଆସିବା କରୁଥିବା ବସ୍ ଗୁଡ଼ିକୁ ସହର ଭିତରେ ପଶିବାକୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ ରୁଟ୍ ବସ୍ ଗୁଡ଼ିକୁ ଜାତୀୟ ରାଜପଥ ଦେଇ ହଳଦିଆପଦର ବସଷ୍ଟାଣ୍ଡ ରୁ ଚଳାଚଳ କରିବାକୁ ନିର୍ଦେଶନାମା ଜାରି ହୋଇଥିଲା । ହେଲେ ଏହି ନିଷ୍ପତ୍ତି ସୋମବାର ବସ୍ ମାଲିକମାନେ ମାନି ନାହାନ୍ତି । ଏନେଇ ବସ୍ ମାଲିକମାନେ ବିଡ଼ିଏ ଉପାଧ୍ୟକ୍ଷ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ବାହାରି ନାହିଁ । ତେଣୁ ମଙ୍ଗଳବାରଠାରୁ ବ୍ରହ୍ମପୁରରୁ କୌଣସି ଘରୋଇବସ୍ ଚଳାଚଳ କରିବ ନାହିଁ ବୋଲି ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନ ଯେଉଁ ରୁଟ୍ର ବସ୍ ଚଳାଇବାକୁ କହିଛି ତାହା ଦ୍ୱାରା ବସ୍ ଗୁଡ଼ିକର ଯାତାୟତ ସମୟରେ ଢ଼େର ପରିବର୍ତ୍ତନ ହୋଇଯିବ । ସେହିପରି ଅସ୍ଥାୟୀ ବସଷ୍ଟାଣ୍ଡ ପାଇଁ ସହର ଭିତରେ ଥିବା ଖୋଲା ସ୍ଥାନରୁ ଗୋଟିଏ ସ୍ଥାନ ଯୋଗାଇ ଦିଆଯାଉ ବୋଲି ସଂଘ ଦାବି କରିଛି । ସେପଟେ ଯାତ୍ରୀଙ୍କ ସ୍ୱାର୍ଥକୁ ଆଡ଼େଇ ଦେଇ ବସ୍ ମାଲିକଙ୍କ ଏହି ନିଷ୍ପତ୍ତିକୁ ସହରର ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି ଓ ଏହା କେତେଦୂର ବିଚାରଯୋଗ୍ୟ ବୋଲି ଏଠାରେ ପ୍ରଶ୍ନ ଉଠୁଛି । ସେପଟେ ବସ୍ ମାଲିକଙ୍କ ପଦକ୍ଷେପକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବିଡ଼ିଏ କର୍ତ୍ତୃପକ୍ଷ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ବିଡ଼ିଏ ଉପାଧ୍ୟକ୍ଷ ଶ୍ରୀ ରାଠୋର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ