ବ୍ରହ୍ମପୁରରେ କାଳବୈଶାଖୀର ପ୍ରଭାବ ଅଢେଇ ଘଣ୍ଟାରେ ଜଳମଗ୍ନ ସହର
ବ୍ରହ୍ମପୁର,(ଅନିଲ କୁମାର):ଶନିବାର ମଧ୍ୟାହ୍ନ ମାତ୍ର ଅଢେଇ ଘଣ୍ଟା କାଳବୈଶାଖୀ ବର୍ଷାରେ ସହର ସମେତ ଆଖପାଖ ତଳି ଅଞ୍ଚଳ ଜଳ ମଗ୍ନ୍ନ ହୋଇଯାଇଥିଲା, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ସମେତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି ଶନିବାର ଦିନ । ମାଧ୍ୟାନ୍ନ ଠାରୁ ରିପୋଟ ଲେଖାହେବା ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେକର୍ଡ ସଂଖ୍ୟାରେ ବର୍ଷା ହୋଇ ଥିବା ବେଳେ ବର୍ଷାର ପରିମାଣ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସର୍ବାଧିକ ହୋଇଥିବା ଜଣାପଡିଛି । ସହରର ଗାନ୍ଧୀନଗର ଓ ବ୍ରଜନଗର ଅଞ୍ଚଳରେ ୩୨୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରଙ୍ଗେଇଲୁଣ୍ଡାରେ ୭୪ ମିମି ଏବଂ ଛତ୍ରପୁରରେ ୬୨.୮ ମିମି ବର୍ଷା ହୋଇଛି।ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁର ସହରର ନିମ୍ନାଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରାସ୍ତାଘାଟରେ ପାଣି ଜମି ରହିଥିବା ଫଳରେ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। କାଳବୈଶାଖୀର ପ୍ରଭାବରେ ଝଡ଼ତୋଫାନ ସହ ବଜ୍ରପାତ ହେବା ଫଳରେ ସ୍ଥାନେ ସ୍ଥାନେ ଗଛ ରାସ୍ତା ଉପରେ ପଡିଯାଇଥିବା ଦେଖାଦେଇଛି, ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାସହ ଯାତାୟାତ ଓ ବିଜୁଳି ସମସ୍ୟା ଦେଖା ଦେଇଛି ।ଗଞ୍ଜାମ ଜିଲ୍ଲାର ବର୍ଷା ସ୍ଥିତି ରିପୋର୍ଟ ଅନୁସାରେ ମୋଟ ୨୪ଟି ଷ୍ଟେସନରେ ସମୁଦାୟ ୯୫୫.୫ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ରହିଛି, ଯାହା ହାରାହାରି ୩୮.୨୨ ମିମି ବୋଲି ଅକାଳନ କରାଯିଇଛି । ସେହିପରି ଅସ୍କାରେ ୨୬.୨ ମିମି, ବୁଗୁଡ଼ାରେ ୨୫ ମିମି, ପୁରୁଷୋତ୍ତମପୁରରେ ୧୯ ମିମି ଏବଂ କବିସୂର୍ଯ୍ୟନଗରରେ ୧୫.୭ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ ହିଞ୍ଜିଳିକାଟ, ସାନଖେମୁଣ୍ଡି, ଭଞ୍ଜନଗର ଓ ସୋରଡ଼ା ଭଳି କିଛି ଅଞ୍ଚଳରେ ବର୍ଷାର ପରିମାଣ ନଗଣ୍ୟ ରହିଛି। ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଥିଲା । କାଳବୈଶାଖୀ ଯୋଗୁଁ ଗରମରୁ ତ୍ରାହି ମିଳିଥିବା ବେଳେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ସୂଚନା ମିଳିଛି । କାଳବୈଶାଖୀ ଝଡ଼ତୋଫାନ ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଓ ବିଦ୍ୟୁତ ଲାଇନ୍ ଉପରେ ପଡ଼ିଥିଲା। ବ୍ରହ୍ମପୁର ଅନେକ ରାସ୍ତାରେ ବଡ଼ ଗଛ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡ଼ିବା ଫଳରେ ଆଖପାଖ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ଏହାସହ ରାସ୍ତା ମଧ୍ୟ ଅବରୋଧ ହୋଇ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଙ୍ଗିଥିବା ଗଛକୁ କାଟି ରାସ୍ତାରୁ ହଟାଇବା ସହିତ ଚାରିଆଡ଼େ ପଡ଼ିଥିବା ଡାଳପତ୍ର ସଫା କରିଥିଲେ। ଅଗ୍ନିଶମ ବିଭାଗର ଏହି ତ୍ୱରିତ କାର୍ଯ୍ୟ ଯୋଗୁଁ ରାସ୍ତା ପୁଣି ଯାତାୟାତ ପାଇଁ ମୁକ୍ତ ହୋଇପାରିଛି। ଅନିରୁପ ଭାବେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ମରାମତି କାର୍ଯ୍ୟ ଆରମ୍ଭ କରି ବିଦ୍ୟୁତ ସରବରାହ ପୁନଃସ୍ଥାପନ କରିଛନ୍ତି।