ବ୍ରହ୍ମପୁରରେ ଚାକିରି ଦେବା ନାଁରେ ଠକେଇ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଚାକିରି ଦେବା ନାଁରେ ଠକେଇ ଘଟଣା ନଜରକୁ ଆସିଛି। ଏୟାରପୋର୍ଟରେ ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକେଇରେ ଶିକାର ଯୁବକ ଗୁପ୍ତେଶ୍ବର ପ୍ରଧାନ ଆଇନଜୀବୀ ପ୍ରଦୀପ ବେହେରାଙ୍କ ସହାୟତାରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏସ୍ପି ସମସ୍ତ ଅଭିଯୋଗ ଶୁଣିବା ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମର ଗୁପ୍ତେଶ୍ବରଙ୍କ ନିକଟକୁ ଗତ ଜୁନ ୭ ତାରିଖରେ ଏକ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ ଏୟାରପୋର୍ଟର ମ୍ୟାନେଜର ବୋଲି କହିଥିଲେ। ଏୟାରପୋର୍ଟରେ ଚାକିରି ପାଇଁ ପରିଚୟପତ୍ର ଓ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ପଠାଇବାକୁ କହିଥିଲେ। ଗୁପ୍ତେଶ୍ବର ସମସ୍ତ କାଗଜପତ୍ର ପଠାଇଥିଲେ। ଦୁଇଦିନ ପରେ ପୁଣିଥରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଫୋନ କରି ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କହିଥିଲେ। ଡକ୍ୟୁମେଣ୍ଟ ଭେରିଫିକେଶନ ପାଇଁ ୨୫ଶହ ଟଙ୍କା ପଠାଇବା ପାଇଁ କହିଥିଲେ। ଟଙ୍କା ପଠାଇବାର କିଛିଦିନ ପରେ ପୁଣିଥରେ ଫୋନ କରି ସିକ୍ୟୁରିଟି, ୟୁନିଫର୍ମ, ପ୍ରଶିକ୍ଷଣ ଭଳି କାମ ପାଇଁ ଟଙ୍କା ମାଗିଥିଲେ। ଏଥିରେ ବିଶ୍ୱାସ କରି ଗୁପ୍ତେଶ୍ବର ପର୍ଯ୍ୟାୟ କ୍ରମେ ପ୍ରାୟ ୧ଲକ୍ଷ ୨୩ହଜାର ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ। ଏ ଦିଗରେ ଦୃଷ୍ଟି ଦେଇ ନ୍ୟାୟ ପ୍ରଦାନ କରିବାକୁ ଗୁପ୍ତେଶ୍ବର ଏସ୍ପିଙ୍କ ନିକଟରେ ଅନୁରୋଧ କରିଛନ୍ତି।