ବ୍ରହ୍ମପୁରରେ ରାତି ୮ ଟା ଯାଏ ଦୋକାନ ଖୋଲା ରହିବ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗଂଜାମ ଜିଲ୍ଲାରେ ସଫଳତାର ସହିତ କରୋନା ଭାଇରସ୍ ମହାମାରୀକୁ ମୁକାବିଲା କରାଯାଉଛି। ନୂଆ ସଂକ୍ରମଣ ରୋକିବା ଆମ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି। ଏବେ ଜିଲ୍ଲାରେ ମିଶନ ଜିରୋ ଆକ୍ଟିଭ୍ କେସ୍ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆରମ୍ଭରୁ ୨ଟି ବ୍ଲକରେ ଏହି କାମ ପାଇଁ ପଦକ୍ଷେପ ନିଆଯିବ। ମୁକାବିଲା କେମିତି ହେବ, ସେନେଇ ଆଗାମୀ ସପ୍ତାହରେ ଏବାବଦରେ ଅଧିକ ସୂଚନା ଦିଆଯିବ। ସ୍ଥାନୀୟ ଟାଉନ୍ ହଲ୍ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି ଏବେ ଦିନକୁ ୯ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ନମୁନା ପରୀକ୍ଷା କରୁଛୁ। ଜିଲ୍ଲାରେ ସୁସ୍ଥତା ହାର ୮୭ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ଏହା ୬୦ ପ୍ରତିଶତ ଥିଲା।ଜିଲ୍ଲାପାଳ କହିଛନ୍ତି ଆମ ପାଇଁ ଏବେ ୨ଟି ବଡ଼ ଚ୍ୟାଲେଞ୍ଜ ହୋଇଛି ମୃତ୍ୟୁ ହାର କମାଇବା ଏବଂ ବହୁରୋଗରେ ପୀଡ଼ିତ ଥିବା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବା । ଜିଲ୍ଲାରେ କେମିତି ନୂଆ ସଂକ୍ରମଣ ହେବନି, ସେଥିପାଇଁ କାମ କରିବାକୁ ପଡ଼ିବ। ସୀମା ଉପରେ ନଜର ରଖିବାକୁ ହେବ। ଏପର୍ଯ୍ୟନ୍ତ ବ୍ରହ୍ମପୁର କେହି ଆସିପାରୁ ନଥିଲେ କିନ୍ତୁ ବ୍ରହ୍ମପୁର ସୀମା ସିଲକୁ ସୋମବାର ଠାରୁ ହଟାଇ ଦିଆଯିବ। ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧି ଲୋକେ ବ୍ରହ୍ମପୁର ଆସିପାରିବେ। ବ୍ରହ୍ମପୁରରେ ସକାଳ ୫ଟାରୁ ରାତି ୮ଟା ଯାଏଁ ଦୋକାନ-ବଜାର ଖୋଲା ରହିବ।ଗଂଜାମ ଜିଲ୍ଲାରେ ଭିତ୍ତିଭୂମି ନେଇ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି ଏବେ ଘରକୁ ଘର ଯାଇ ନମୁନା ସଂଗ୍ରହ କରାଯାଉଛି। ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ମିଳୁଛି। ପ୍ଲାଜମା ସଂଗ୍ରହ, ପ୍ଲାଜମା ଦାନକୁ ଗୁରୁତ୍ୱ ଦିଆଯାଉଛି। ଏପର୍ଯ୍ୟନ୍ତ ୧୦୦ ଜଣ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିରୁ ୪୨ ଜଣ ପ୍ଲାଜମା ଦାନ କରିଛନ୍ତି। ଏହା ସଫଳ ହୋଇଛି। ଗଂଜାମର ସ୍ୱାସ୍ଥ୍ୟଟିମ୍ ଡାକ୍ତର, ନର୍ସ, ପାରାମେଡିକାଲ, ଆଶା, ଅଙ୍ଗନବାଡ଼ି ଦିଦିମାନେ ପ୍ରଶଂସନୀୟ କାମ କରୁଛନ୍ତି।ଗଣେଶ ପୂଜାରେ ଗହଳି କରିବା ନାହିଁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲାବାସୀ ତାରାତାରିଣୀ ଯାତ୍ରା ଠାରୁ ଯେଉଁଭଳି ସହଯୋଗ କରୁଛନ୍ତି, ଆଗକୁ ମଧ୍ୟ ଏହା ଜାରି ରଖନ୍ତୁ। ସର୍ବସାଧାରଣରେ ଗଣେଶ ପୂଜା କରନ୍ତୁ ନାହିଁ। ଘରେ ଗଣେଶ ପୂଜା କରନ୍ତୁ। ଗଣେଶ ପୂଜା ନେଇ ବ୍ରହ୍ମପୁର କମିସନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ଦୋକାନ ଗୁଡ଼ିକରେ ମୂର୍ତ୍ତି ବିକ୍ରି ହେଉଛି। ଦୋକାନରେ ବଡ଼ ମୂର୍ତ୍ତି ବିକ୍ରିକୁ ବାରଣ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ଲୋକେ ପୂଜା କରିପାରିବେ। ପୂଜାରୀ ଏବଂ ବ୍ରହ୍ମପୁରବାସୀ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।