ବ୍ରହ୍ମପୁରା ଗ୍ରାମରେ କଙ୍ଗାରୁକୋର୍ଟ ଅଭିଯୋଗ
ବୋଲଗଡ଼ (ଯୁଗାବ୍ଦ ନ୍ୟୁଜ୍):ବୋଲଗଡ଼ ପଞ୍ଚାୟତ ଅନ୍ତର୍ଗତ ନିକଟସ୍ଥ ବ୍ରହ୍ମପୁରା ଗ୍ରାମରେ ଜନୈକ ଯୁବକ ନିଜ ପସନ୍ଦରେ ଅନ୍ୟ ଜାତିର ଯୁବତୀକୁ ଉଭୟ ପରିବାର ସହମତିରେ ବିବାହ କରିବାରୁ ପୁଅ ପକ୍ଷଙ୍କ ପରିବାର ଉପରେ ଗ୍ରାମର କେତେକ ବ୍ୟକ୍ତି ଗ୍ରାମରୁ ବାସନ୍ଦ କରିବା ସହ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପ୍ର୍ରକାଶ ବ୍ରହ୍ମପୁରା ଗ୍ରାମର ମଦନ ମୋହନ ମାଣ୍ଡୋଇଙ୍କ ସାନପୁଅ ସହଦେବ ବେହେରା ନୟାଗଡ଼ କଲେଜରେ ଅଧ୍ୟାପନା କରୁୁଥିବାବେଳେ ନୟାଗଡ ଜିଲ୍ଲାର ଜଳଧର ଷଣ୍ଢଙ୍କ କନ୍ୟା ବିଦୁଲତା ଷଣ୍ଢଙ୍କୁ ବିବାହ କରିଥିଲେ । ସେ ମଧ୍ୟ ସେହି କଲେଜରେ ଅଧ୍ୟାପନା କରୁଛନ୍ତି । ଉଭୟଙ୍କ ବିବାହ ବୋଲଗଡ ଗ୍ରାମ ବ୍ରଜମୋହନ ଦେବଙ୍କ ମଠରେ ହୋଇଥିଲା । ବିବାହ ସମୟରେ ସହଦେବ ବେହେରାଙ୍କ ପିତା ମୋହନ ମାଣ୍ଡୋଇ ନିଜ ଗ୍ରାମର ବିଭିନ୍ନ ଦାୟିତ୍ୱରେ ଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ମୋହନ ମାଣ୍ଡୋଇ ଗ୍ରାମବାସୀଙ୍କୁ ନଜଣାଇ ଅନ୍ୟଜାତିର ଝିଅକୁ ବୋହୂ କରି କେମିତି ଘରକୁ ଆଣିଲେ । ଏହାର ଉତ୍ତରରେ ଉଭୟ ପୁଅ ଓ ଝିଅ ଉଚ୍ଚ ଶିକ୍ଷିତ ଏବଂ ଏକାସାଙ୍ଗରେ ଅଧ୍ୟାପନା କରୁଥିବାରୁ ତାଙ୍କର ପସନ୍ଦରେ ସେମାନେ ବିବାହ କଲେ ବୋଲି କହିଥିଲେ । ଏହାକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ ତାଙ୍କୁ ଦାୟିତ୍ୱରୁ ବାହାର କରିଦେବା ସହ ତାଙ୍କ ପାଖରେ ଥିବା କୋଠ ହଣ୍ଡା ଓ ଅନ୍ୟାନ୍ୟ ଜିନିଷ ନେଇଯାଇ ଧମକ ଦେଇଥିଲେ ଆଜି ଠାରୁ ତୁମେ ଏକ ଘରିଆ ହୋଇ ରହିବୁ । ଏ କଥାକୁ ନେଇ ୧୨ରୁ ୧୪ଜଣ ସମର୍ଥନ ଦେଇଥିବା ମଧ୍ୟ କହିଛନ୍ତି । ଏପରିକି ତାଙ୍କ ବନ୍ଧୁ କୈଳାସ ରଗଡ ତାଙ୍କ ସହିତ ସମ୍ପର୍କ ରଖିବାରୁ ତାଙ୍କୁ ମଧ୍ୟ ହଇରାଣ କରୁଛନ୍ତି । ସୂଚନାଯୋଗ୍ୟ ଅଭିଯୋଗକାରୀ ମୋହନୀ ମାଣ୍ଡୋଇ ଗୋପାଳ ଜାତି ହୋଇଥିବାବେଳେ ତାଙ୍କ ସମୁଦି ଜଳଧର ଷଣ୍ଢ ଖଣ୍ଡାୟତ ଜାତିର ହୋଇଥିବାରୁ ଏହାକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ । ଅବଶ୍ୟ ଏଥିରେ ଗ୍ରାମର ଅନେକ ପରିବାର ଏହି ନିଷ୍ପତ୍ତିକୁ ବିରୋଧ କରୁଥିବାବେଳେ ଆଉ ଅଧା ପରିବାର ମୋହନୀ ମାଣ୍ଡୋଇକୁ ସମର୍ଥନ କରୁଛନ୍ତି । ଏପରିସ୍ଥଳେ ବିଭିନ୍ନ ମାନସିକ ନିର୍ଯାତନା ଭୋଗ କରୁଥିବା ମୋହନୀ ମାଣ୍ଡୋଇ ଏ ସମ୍ପର୍କରେ ଏକ ଲିଖିତ ଦରଖାସ୍ତ ଗଣମାଧ୍ୟମକୁ ଦେଇ ଏ ସମ୍ପର୍କରେ ଖବର ପ୍ରକାଶ କରି ପ୍ରଶାସନକୁ ହସ୍ତକ୍ଷେପ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।