ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଖରିଫ ଧାନ କ୍ରୟ ପ୍ରସ୍ତୁତି ଶିବିର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ରେ ମଙ୍ଗଳବାର ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଖରିଫ ଧାନ କ୍ରୟ ସମ୍ବଧିତ ପ୍ରଶାସନିକ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅରୁଣ କୁମାର ମିଶ୍ର ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତାଗିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦିଗପହଣ୍ଡି,କୁକୁଡ଼ାଖଣ୍ଡି,ପାତ୍ରପୁର, ଚିକିଟି,ସାନଖେମୁଣ୍ଡି,ରଙ୍ଗେଇଲୁଣ୍ଡା ବ୍ଳକ ର ସମସ୍ତ ତହସିଲଦାର,ବିଡ଼ିଓ, ମାର୍କେଟିଂ ଇନ୍ସପେକ୍ଟର,ସମବାୟ ସମ୍ପାଦକ ଏବଂ ଧାନ କ୍ରୟ ପାଇଁ ପଞ୍ଜିକୃତ କରିଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ। ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଚଳିତ ୨୦୨୪-୨୫ ବଜାର ବର୍ଷରେ ଚାଷୀଙ୍କ ଖରିଫ ଧାନ ଅମଳ ପରେ ଚାଷୀଙ୍କ ଠାରୁ ସଂଗୃହିତ ଧାନ ସମ୍ପୃକ୍ତ ଗ୍ରାମାଞ୍ଚଳରେ ଥିବା ସେବା ସମବାୟ ସମିତି କାର୍ଯ୍ୟାଳୟରେ ରଖାଯିବ। ସେଠାରେ ପଞ୍ଜୀକୃତ ଚାଷୀଙ୍କ ଉତ୍ପାଦିତ ଧାନର ନମୂନା ପରୀକ୍ଷଣ ପରେ ଗୁଣାତ୍ମକ ଧାନକୁ ନିର୍ଦ୍ଧାରିତ ମିଲର ଙ୍କ ପାଖକୁ ପଠାଯିବ ବୋଲି ଉପସ୍ଥିତ ସରକାରୀ ପଦାଧିକାରୀ ମାନଙ୍କୁ ମୁଖ୍ୟଅତିଥି କହିଥିଲେ। ଚଳିତ ବର୍ଷ ସାଧାରଣ ଧାନର ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୩ ଶହ ଟଙ୍କା ରହିଛି। ତେଣୁ ଚାଷୀ ବୃନ୍ଦ କିଭଳି ସରକାରୀ ନିର୍ଦ୍ଧାରିତ ଦର ରେ ସେମାନଙ୍କ ଉତ୍ପାଦିତ ଖରିଫ ଧାନ ସୁବିଧାରେ ବିକ୍ରୟ କରିପାରିବେ ସେ ନେଇ ସରକାରୀ ପଦାଧିକାରୀ ବୃନ୍ଦ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ଉପଜିଲ୍ଲାପାଳ ଧାନ କ୍ରୟ ନିମନ୍ତେ ଚାଷୀ ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ସେ ବଜାର ନିୟନ୍ତ୍ରିତ କମିଟି ପ୍ରାଙ୍ଗଣରେ ଥିବା କପା ମଣ୍ଡି ବୁଲି ଦେଖିବା ସହ ଚାଷୀଙ୍କ ଠାରୁ କପା ସଂଗ୍ରହ ସମ୍ପର୍କରେ ସମୀକ୍ଷା କରିଥିଲେ।