ବ୍ରହ୍ମପୁର ଠାକୁରାଣୀ ଯାତ୍ରା : ରାଜବାଟୀରେ ମା’ଙ୍କ ଘଟ
ବ୍ରହ୍ମପୁର, (ଅନିଲ କୁମାର): ପ୍ରସିଦ୍ଧ ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଆଜି ଦ୍ୱିତୀୟ ଦିବସରେ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବାଧାଡ଼ି ଲାଗି ରହିଥିବା ବେଳେ ମାଁଙ୍କ ପାରମ୍ପରିକ ରାଜବାଟୀରେ ପୂଜାର୍ଚ୍ଚନା କରାଯାଇଛି । ଏନେଇ ଭକ୍ତଙ୍କ ଗହଳିକୁ ହଟାଇବା ପାଇଁ ଅସ୍ଥାୟୀ ପୀଠରୁ ରାଜବାଟୀ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ୧୪୪ ଧାରା ଘୋଷଣା କରାଯାଇଛି । ତେବେ ମାଁଙ୍କ ଘଟ ରାତ୍ର ପ୍ରାୟ ୯ ଟା ବେଳେ ବାହାର ରାଜବାଟୀ ଅଭିମୁଖେ ଯାଇ ପାରମ୍ପରିକ ପୂଜାର୍ଚ୍ଚନା ପରେ ପୁଣି ଫେରିଥିବାବେଳେ ପ୍ରଶାସନର ୧୪୪ ଧାରାକୁ ରାତ୍ର ପ୍ରାୟ ୯ ଟା ପର୍ଯ୍ୟନ୍ତ ସାମାନ୍ୟ କୋହଳ କରାଯାଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ୭ ଦିନ ପାଇଁ ମା’ଙ୍କ ଯାତ୍ରାକୁ ଅନୁମତି ମିଳିଥିବା ଯୋଗୁଁ ଭକ୍ତମାନେ ମାଁଙ୍କ ଦର୍ଶନ ପାଇଁ ପ୍ରବଳ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି । କରୋନା କଟକଣା ଅନୁଯାୟୀ ଏଠାରେ ଭକ୍ତମାନେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରି ବ୍ୟାରିକେଡ଼ ମାଧ୍ୟମରେ ମାଁଙ୍କ ଦର୍ଶନ କରୁଛନ୍ତି । ମାଁଙ୍କ ମଣ୍ଡପରେ ଦୀପଦାନ ସହ ଭୋଗ ବାରଣ କରାଯାଇଥିବା ବେଳେ ପ୍ରତିଦିନ ଭୋର୍ ୫ ଟା ରୁ ଦିନ ୯ ଟା ଏବଂ ଅପରାହ୍ନ ୪ ଟା ରୁ ରାତ୍ର ୯ ଟା ପର୍ୟ୍ୟନ୍ତ ମାଁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ର୍ରହଣ କରାଯାଇଛି ।