ବ୍ରହ୍ମପୁର ପ୍ରେସକ୍ଲବ ପକ୍ଷରୁ ଦକ୍ଷିଣାଞ୍ଚଳ ଆରଡିସି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତଥାପି ଏହାକୁ ମୁକାବିଲା କରିବା ସହ ଅଦୃଶ୍ୟ ଭାଇରସକୁ ହଟାଇବାକୁ କରୋନା ଯୋଦ୍ଧା ମାନେ ନିଜ ଉଦ୍ୟମ ଜାରି ରଖିଛନ୍ତି। ସେଥିମଧ୍ୟରୁ ଅନ୍ୟତମ କରୋନା ଯୋଦ୍ଧା ହେଉଛନ୍ତି ସାମ୍ବାଦିକ। ଯେଉଁମାନେ ନିଜ ପରିବାରର ସ୍ୱାର୍ଥକୁ ଛାଡି ଜୀବନକୁ ପାଣି ଛଡାଇ ଏହି ଯୁଦ୍ଧରେ ସାମିଲ ହୋଇ ଜନ ସାଧାରଣଙ୍କ ନିକଟରେ କରୋନାର ଟିକନିଖ ଖବର ସହ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାକୁ ଖବର ଜରିଆରେ ଲୋକ ଲୋଚନକୁ ଆଣିବା ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜେ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ କରୋନା ଜନିତ ମୃତ୍ୟୁରେ ୧୫ ଲକ୍ଷ ବୀମା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି। ଏକ ଦୁଃଖର ବିଷୟ ଗତ କିଛି ଦିନ ତଳେ ଖବର ସଂଗ୍ରହ ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ର ଦୈନିକ ଓଡ଼ିଆ ଖବର କାଗଜର କାର୍ଯ୍ୟରତ ସାମ୍ବାଦିକ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ଙ୍କ କରୋନା ସଂକ୍ରମଣ ରେ ପୀଡିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିଲା। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ମାହୋଲରେ ଶୋକର ଛାୟା ଖେଳିଯାଇଥିଲା। କରୋନା ଜନିତ ରୋଗରେ ରାଜ୍ୟର ପ୍ରଥମ ସାମ୍ବାଦିକ ଭାବେ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି। ଯାହାକୁ ନେଇ ରାଜ୍ୟ ସ୍ତରୀୟ ଗଣମାଧ୍ୟମ ରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ହିଞ୍ଜିଳିକାଟୁ ର ଏହି ସାମ୍ବାଦିକଙ୍କ ମୃତ୍ୟୁର ବହୁ ଦିନ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରାଗଲା ନାହିଁ। ଏହାସହ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୧୫ ଲକ୍ଷ ଟଙ୍କା ବୀମା ରାଶି ତାଙ୍କ ପରିବାରକୁ ପ୍ରଦାନ କରାଯାଇନାହିଁ। ଯାହାକୁ ନେଇ ଦୃଢ଼ ନିନ୍ଦା କରିଛି ବ୍ରହ୍ମପୁର ପ୍ରେସ କ୍ଳବ। ଏନେଇ ଆଜି ବ୍ରହ୍ମପୁର ପ୍ରେସ କ୍ଳବର ସଦସ୍ୟ ମାନେ ଏକାଠି ହୋଇ ସରକାର ସାମ୍ବାଦିକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ନହେବା ସହ ଅବହେଳା କରାଯାଇଥିବାରୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ବୋଲି କହିବା ସହ ଦକ୍ଷିଣାଞ୍ଚଳ ଆରଡିସି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହାସହ ତୁରନ୍ତ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ରାଜ୍ୟ ସରକାରଙ୍କ ନିକଟରେ ଆଲୋଚନା କରି ମୃତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ସହ ତାଙ୍କ ପରିବାରକୁ ଘୋଷିତ ୧୫ ଲକ୍ଷ ବୀମା ରାଶି ପ୍ରଦାନ କରିବାକୁ ବ୍ରହ୍ମପୁର ପ୍ରେସ କ୍ଳବ ଦାବି କରିଛି। ଏହି ଅବସରରେ ଵରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ହେମାଙ୍ଗ ପ୍ରସାଦ ରାଉଳ, ଅଶୋକ ବ୍ରହ୍ମା, ମୃତ୍ୟୁଞ୍ଜୟ ସାହୁ, ସମୀର ଆଚାର୍ଯ୍ୟ, ବିଶ୍ୱନାଥ ମହାରଣା, ଅସିତ ପଣ୍ଡା, ରୂପକ କୁମାର ମହାନ୍ତି, ଲିକୁ ଡାକୁଆ, ଚନ୍ଦନ ସାମଲ ଙ୍କ ସମେତ କ୍ଳବର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ