ବ୍ରହ୍ମପୁର ରୁ ବ୍ୟବସାୟୀ ନିଖୋଜ, ଦିଗପହଣ୍ଡି ଥାନାରେ ଭାଇଙ୍କ ପକ୍ଷରୁ ଏତଲା * ଅପହରଣ ସନ୍ଦେହ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ବଡଡିମ୍ବୁଳା ପଞ୍ଚାୟତ ସାନଡିମ୍ବୁଳା ଗାଁ ର ଯୁବ ବ୍ୟବସାୟୀ ଚନ୍ଦନ ସାହୁ ବ୍ରହ୍ମପୁର ବଡବଜାର ନିକଟ ଗଣେଶ ମାର୍କେଟ ରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଛନ୍ତି। ଚନ୍ଦନ ତାଙ୍କ ଗାଁ ନିକଟ ଗଣିଆନାଳ ଛକରେ କିଛିଦିନ ହେଲା ମାଁ ବାଙ୍କେଶ୍ବରୀ ମୋବାଇଲ ବିକ୍ରୀ ଓ ରିପେରିଂ ଦୋକାନ କରିଛନ୍ତି। ବୁଧବାର ମଧ୍ୟାହ୍ନ ରେ ସେ ମାର୍କେଟିଂ ପାଇଁ ବ୍ରହ୍ମପୁର ଯାଇଥିଲେ ମଧ୍ୟ ଗୁରୁବାର ସକାଳ ସୁଦ୍ଧା ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ଏନେଇ ବ୍ୟତିବ୍ୟସ୍ତ ହୋଇପଡ଼ିବା ସହ ବନ୍ଧୁ ବାନ୍ଧବ ଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କ ସନ୍ଧାନ ମିଳିନଥିଲା। ସେ ମୋବାଇଲ କିଣିବା ପାଇଁ ସଦାସର୍ବଦା ବ୍ରହ୍ମପୁର ବଡ଼ ବଜାର ରେ ଥିବା ଗଣେଶ ମାର୍କେଟ କୁ ଯାଉଥିବାରୁ ଚନ୍ଦନ ଙ୍କ ଭାଇ ମିଟୁ ସାହୁ ସନ୍ଦେହରେ ଅନ୍ୟକିଛି ସାଙ୍ଗ ମାନଙ୍କ ସହ ଗଣେଶ ମାର୍କେଟ ରେ ପହଞ୍ଚି ଭାଇ ଚନ୍ଦନ ଙ୍କ ନିଖୋଜ ସମ୍ପର୍କରେ ବିଭିନ୍ନ ମୋବାଇଲ ଦୋକାନୀଙ୍କୁ ପଚରା ଉଚୁରା କରିବା ପରେ ଏକ ମୋବାଇଲ ଦୋକାନରେ ନିଖୋଜ ଚନ୍ଦନ ଙ୍କ ମୋବାଇଲ ଫୋନ ଚାର୍ଜ ରେ ବସିଥିବା ଜଣାପଡିଥିଲା। କିନ୍ତୁ ମୋବାଇଲ ଦୋକାନୀ ଜଣକ ଚନ୍ଦନ ଙ୍କ ନିଖୋଜ ସମ୍ପର୍କରେ କିଛି ଜାଣିନଥିବା କହିଥିଲେ। ଚନ୍ଦନ ତାଙ୍କୁ ଘଟଣା ଦିନ ଅପରାହ୍ନ ରେ କେବଳ ମୋବାଇଲ ଟିକୁ ଚାର୍ଜ ରେ ବସାଇ ଦେବାକୁ ଅନୁରୋଧ କରିଥିବା ଉଲ୍ଲେଖ କରିଥିଲେ। ଚନ୍ଦନ ଙ୍କ ଭାଇ ଓ ବନ୍ଧୁ ବାନ୍ଧବ ଗତ ଦୁଇଦିନ ବିଭିନ୍ନ ଅଞ୍ଚଳରେ ଖୋଜା ଖୋଜି କରିବା ପରେ ସନ୍ଧାନ ନମିଳିବାରୁ ତାଙ୍କୁ ପୂର୍ବ ଯୋଜନାବଦ୍ଧ ଭାବେ ଅପହରଣ କରାଯାଇଥିବା ନେଇ ଚନ୍ଦନ ଙ୍କ ଭାଇ ମିଟୁ ପୋଲିସ ଅଧିକାରୀଙ୍କ ନିକଟରେ ବୟାନ ଦେଇଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ ସେ ଏତଲା ଦେଇଥିବା କହିଛନ୍ତି। ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ଘଟଣାର ତଦନ୍ତ କରି ଥାନା ଏମ୍ ଏମ୍ ସି ନଂ.୪/୨୧ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଥାନା ଏସ ଆଇ ବଳଭଦ୍ର ଗଣ୍ଡ ଙ୍କୁ ଏହି ମାମଲା ର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଏହି ରହସ୍ୟଜନକ ନ ଖୋଜ ଘଟଣା ପଛରେ ଅନେକ କାରଣ ଲୁଚି ରହିଥିବା ପୋଲିସ ସନ୍ଦେହ କରିଛି। ନିଖୋଜ ଘଟଣା କୁ ପୋଲିସ ଗୁରୁତର ସହ ନେବା ସହ ନିଖୋଜ ପଛରେ ରହିଥିବା ଲୁକ୍କାୟିତ ରହସ୍ୟ ର ଉନ୍ମୋଚନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଅପରପକ୍ଷରେ ପୋଲିସ ପକ୍ଷରୁ ସାଦା ପୋଷାକରେ ବିଭିନ୍ନ ସନ୍ଦିଗ୍ଧ ଇଲାକାରେ ଚଢ଼ାଉ କରାଯାଇଥିଲେ ମଧ୍ୟ ଚନ୍ଦନ ଙ୍କ ନିଖୋଜ ସମ୍ପର୍କରେ ସାମାନ୍ୟତମ ଖିଅ ମିଳିନଥିବା ଆଇ ଆଇ ସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ