ବ୍ରହ୍ମପୁର ଷ୍ଟେସନରେ ପୁନଃ ଟ୍ରେନ ରହଣି ପାଇଁ ଦାବି

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ରାଜ୍ୟ ସରକାର ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ବ୍ରହ୍ମପୁର ତଥା ଜିଲ୍ଲାରେ ଟ୍ରେନ ସେବା ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ। ଓଡ଼ିଶାରୁ ପ୍ରାୟ ୨୦ଟି ଯାତ୍ରୀବାହୀ ଟ୍ରେନ ବିଭିନ୍ନ ରୁଟ୍‌ରେ ଯାତାୟତ କରୁଛି। ବ୍ରହ୍ମପୁର ରେଳ ଷ୍ଟେସନ ଅତିକ୍ରମ କରି ବମ୍ବେ, ଦିଲ୍ଲୀ, ବେଙ୍ଗାଲୁରୁ, ଅହମ୍ମଦାବାଦ, କଲିକତା ଭଳି ସହରକୁ ଟ୍ରେନ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଟ୍ରେନ ବ୍ରହ୍ମପୁର ରେଳଷ୍ଟେସନରେ ରହୁନାହିଁ। ଗଂଜାମ ସୀମା ବାଲୁଗାଁ ଓ ଇଚ୍ଛାପୁରରେ ରହୁଛି। କେବଳ ବ୍ରହ୍ମପୁର ନୁହେଁ ଗଂଜାମ ଜିଲ୍ଲାର କୌଣସି ଷ୍ଟେସନରେ ଟ୍ରେନ ରହୁନାହିଁ। ରାଜ୍ୟ ସରକାରଙ୍କ ଅନୁରୋଧ ଫଳରେ ରେଳ ମନ୍ତ୍ରଣାଳୟ ଚିଠି ଲେଖି ଟ୍ରେନ ଷ୍ଟପେଜ୍ ବାତିଲ କରିଥିବା ସୂଚନା ରହିଛି।
ବ୍ରହ୍ମପୁର ଷ୍ଟେସନରୁ ପ୍ରତିଦିନ ପ୍ରାୟ ୫ ହଜାର ଲୋକ ଦେଶର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ବ୍ରହ୍ମପୁର ଷ୍ଟେସନ ଏକ ବଡ଼ ଲିଙ୍କ ହୋଇଥିବାରୁ ସରକାର ପ୍ରଚୁର ରାଜସ୍ୱ ମଧ୍ୟ ପାଇଥାନ୍ତି। ରହଣି ବାତିଲ ହେତୁ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇ ବ୍ରହ୍ମପୁର ଆସନ୍ତି। ଫଳରେ ଅଯଥା ଖର୍ଚ୍ଚାନ୍ତ ହେବା ସହ ଅଧିକ ସମୟ ନଷ୍ଟ ହେଉଛି। ସେହିପରି ବ୍ରହ୍ମପୁର ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଡ଼ିଏମ୍‌ୟୁକୁ ମଧ୍ୟ ପୁନଃ ଚାଲୁ କରିବା ପାଇଁ ମଧ୍ୟ ଗଂଜାମ ଜିଲ୍ଲା କଂଗ୍ରେସ ଦାବି କରିଛି। ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁର ସମେତ ଜିଲ୍ଲାର ଅନ୍ୟାନ୍ୟ ରେଳ ଷ୍ଟେସନରେ ପୂର୍ବଭଳି ଟ୍ରେନ ରହଣୀ ପୁନଃ ଚାଲୁ କରିବାକୁ ଗଂଜାମ ଜିଲ୍ଲା କଂଗ୍ରେସ ଦାବି କରୁଛି।ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରେଳରହଣୀ ସ୍ୱାଭାବିକ ହେବା ଜରୁରୀ। ଏହାକୁ ତୁରନ୍ତ କାର୍ଯ୍ୟକାରୀ ନକଲେ କଂଗ୍ରେସ ବ୍ରହ୍ମପୁର ଦେଇ ଯାଉଥିବା ଟ୍ରେନଗୁଡ଼ିକୁ ଅଟକାଇବାକୁ ବାଧ୍ୟ ହେବ। ଅତଏବ ରାଜ୍ୟ ସରକାର ତୁରନ୍ତ ବ୍ରହ୍ମପୁର ଷ୍ଟେସନରେ ପୁନଃ ଟ୍ରେନ ରହିବାର ବ୍ୟବସ୍ଥା କରିବାକୁ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ