ବ୍ରାଉନସୁଗର ଜବତ : ୩ ଗିରଫ
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍): ନୟାଗଡ ଜିଲ୍ଲା ଟାଉନଥାନା ପୋଲିସ ବ୍ରାଉନସୁଗର ବ୍ୟବସାୟ ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପ୍ରାୟ ୨ ଗ୍ରାମ ବ୍ରାଉନସୁଗର ଜବତ କରିଛି । ପୋଲିସ ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ବ୍ରାଉନସୁଗର ଆଣି ଅଭିଯୁକ୍ତ ମାନେ ନୟାଗଡ ର ବିଭିନ୍ନ ଅଂଚଳରେ ବିକ୍ରି କରୁଥିଲେ । ଜଜାଙ୍ଗିସାହି ପାହାଡ ତଳେ ବ୍ରାଉନସୁଗର ବିକ୍ରି କରୁଥିବା ଖବର ପାଇ ପୋଲିସ ଅଚାନକ ଚଢାଉ କରି ଘଟଣା ସ୍ଥଳରୁ ୩ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ କିଛି ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଶରଣାକୁଳ ଥାନା ଅଂଚଳର ଚୁଗୁଲି ମହାପାତ୍ର , ପ୍ରଦୀପ୍ତ କୁମାର ପ୍ରଧାନ , ନୟାଗଡ ଟାଉନଥାନା ଦୂର୍ଗା ପ୍ରସାଦ ଗ୍ରାମର ପ୍ରିୟ ରଂଜନ ପାଳକୁ ପୋଲିସ ଗିରଫ କରିବା ସହ ତଦନ୍ତ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଛି ବୋଲି ନୟାଗଡ ଏସ୍ପି ଶଶୀଭୂଷଣ ଶତପଥି ସୂଚନା ଦେଇଛନ୍ତି ।