ବ୍ରାଉନସୁଗାର ଜବତ ୧ ଗିରଫ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୋମବାର ସକାଳେ ଚଢାଉ କରାଯାଇ ଜଣକୁ ଗିରଫ କରାଯିବା ସହିତ ତାଙ୍କ ଠାରୁ ୨୫ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଗୋବରୀ ବାଇପାସ ରୋଡ ଇଦଗାରାସ୍ତାର କବରସ୍ତାନ ନିକଟରୁ ସେହିଥାନା ଅନ୍ତର୍ଗତ ମଧୁକରପୁର(ଆମବାଡି)ର ସ୍ୱର୍ଗତ ମନସୁର ଖାନଙ୍କ ପୁଅ ଜାହିଦ ଖାନ(୩୫)ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ପ୍ରାୟ ୨୫ଗ୍ରାମ ଉଜନର ବ୍ରାଉନସୁଗାର ଥିବା ଏକ ପ୍ଲାଷ୍ଟିକ ଡବାକୁ ଜବତ କରାଯାଇଛି ଯାହାର ମୁଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ । କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପି.ଆର.ନମ୍ବର ୧୧୦/୨୦୧୯ରେ ଧାରା ୨୧ (ଖ)ରେ ଗିରଫ ଅଭିଯୁକ୍ତ ଜାହିଦକୁ କେନ୍ଦ୍ରାପଡା ଜିଲ୍ଲାଜଜଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି ।