ବ୍ରାଉନସୁଗାର ବେପାରରେ ଭାଇ-ଭଉଣୀ : କାରବାର ବେଳେ ଅବକାରୀ ଅଧିକାରୀ ମାଡି ବସିଲେ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :ଯାଜପୁର ଅବକାରୀ ବିଭାଗ ପକ୍ଷରୁ ବ୍ରାଉନସୁଗାର ବିରୋଧି ଅଭିଯାନ ପରିପ୍ରେକ୍ଷୀରେ ସୋମବାର ଦିନ ଏହି ମାରାତ୍ମକ ନିଶା ଧଳା ଜହର କାରବାରରେ ଲିପ୍ତ ଭାଇ ଓ ଭଉଣୀଙ୍କୁ ଗିରଫ କରିଛି । ଉଭୟଙ୍କ ଠାରୁ ୬୦ ଗ୍ରାମର ବ୍ରାଉନସୁଗାର ପ୍ୟାକେଟ ଜବତ କରିବା ସଂଗେ ସଂଗେ ସେମାନଙ୍କ ଠାରୁ ଏହି ନିଶା ସାମଗ୍ରୀର ବିକ୍ରୀ ଲବ୍ଧ ଅର୍ଥ ୫୦୦୦ ଟଙ୍କା ଜବତ କରିଛି । ଘଟଣାରୁ ପ୍ରକାଶ ଯେ ଭଦ୍ରକ ଗ୍ରାମାଞ୍ଚଳ ଅନ୍ତର୍ଗତ ରାହଞ୍ଜ ର ଅସୁରାସାହି ନିବାସୀ ନିଶା ବେପାରୀ ଅନନ୍ତ ଖଟୁଆ ସୋମବାର ସକାଳ ପ୍ରାୟ ୭ଟା ବେଳେ ସଦର ବ୍ଲକ ମାଳଆନନ୍ଦପୁର ନିକଟରେ ତାର ନିଜ ବଡ ଭଉଣୀ ଯାଜପୁର ରୋଡ ଥାନା କହ୍ନେଇପୁରରେ ରହୁଥିବା ରାଜେନ୍ଦ୍ର ମହାନ୍ତିଙ୍କ ପତ୍ନୀ ସବିତା ମହାନ୍ତିଙ୍କୁ ୩୦ ଗ୍ରାମ ଲେଖାଏଁ ରହିଥିବା ୨ଟି ବ୍ରାଉନସୁଗାର ପ୍ୟାକେଟ ପ୍ରଦାନ କରୁଥିବା ସମୟରେ ସଦର ମହକୁମା ସ୍ଥିତ ଅବକାରୀ ମୁଖ୍ୟାଳୟର ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁ କୌଣସି ସୂତ୍ରରୁ ଖବର ପାଇ ଯାଇ ସଦଳବଳେ ଚଢାଉ କରିଥିଲେ । ଉଭୟ ଭାଇ-ଭଉଣୀଙ୍କ ନିକଟରୁ ଏହି ନିଶା ସାମଗ୍ରୀ ସହିତ ନଗଦ ଅର୍ଥ ମଧ୍ୟ ମିଳିଥିଲା । ଏହାପରେ ଶ୍ରୀମତୀ ସାହୁ ଓ ତାଙ୍କ ଟିମ ସବିତାର କହ୍ନେଇପୁର ଘରକୁ ଯାଇ ଚଢାଉ କରିଥିଲେ । ସେଠାରେ ତାର ସ୍ୱାମୀ ଓ ଅନ୍ୟ ପଡୋଶୀ ମାନେ ସବିତା ଏଭଳି କାରବାରରେ ଦୀର୍ଘଦିନ ହେଲା ଜଡିତ ରହିଥିବା ନେଇ ଜଣାଇଥିଲେ । ବିଭାଗ ପକ୍ଷରୁ ଉଭୟଙ୍କୁ କାର୍ଯ୍ୟାଳୟକୁ ଅଣାଯାଇ ପଚରା ଉଚରା କରାଯିବା ପରେ କେଶ୍ ନଂ ୨୫/୨୦୨୨-୨୩ ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଚଢାଉରେ ବିଭାଗର ଦିଲ୍ଲୀପ ନାୟକ, ଯଯାତୀ ପଣ୍ଡା, ଶୁଭଶ୍ରୀ ପ୍ରଧାନ, ସ୍ୱର୍ଣ୍ଣଲତା ଦାସ, ଜୟ ପ୍ରକାଶ ବେହୁରିଆ, କ୍ଷୀରୋଧ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ବ୍ରାଉନସୁଗାର କାରବାରକୁ ସଂପୂର୍ଣ୍ଣ ମୂଳପୋଛ କରିବା ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଅଭିଯାନକୁ ବ୍ୟାପକ କରାଯିବ ବୋଲି ଇନ୍ସପେକ୍ଟର ଶ୍ରୀମତୀ ସାହୁ କହିଛନ୍ତି ।