ବ୍ରାହ୍ମଣୀଗାଁ ଭିମାନାଳ ବନ୍ଧର ପୁନରୁଦ୍ଧାର ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଏକ ଅପହଞ୍ଚ ଇଲାକା। ସରକାରୀ ବାବୁମାନଙ୍କର ପାଦ ଏତେ ସହଜରେ ପଡେନାହିଁ । ବିଭିନ୍ନ ସମସ୍ୟାରେ ଜଡିତ ଏହି ଦୁର୍ଗମ ଅଞ୍ଚଳ ମାନଙ୍କରେ ସରକାରଙ୍କ ଅନେକ ଲୋକାଭିମୁଖୀ କାର୍ଯ୍ୟଗୁଡିକ ସଠିକ ଭାବେ ପହଞ୍ଚି ପାରୁ ନ ଥିବାରୁ ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଲୋକଙ୍କ ଜୀବନ ଜୀବିକା ପାଇଁ ପାନୀୟଜଳ ଓ କୃଷିକର୍ମ ପାଇଁ ଜଳର ଆବଶ୍ୟକତା ପଡିଥାଏ। ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ଜଳ ଯୋଗାଇଦେବା ପାଇଁ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକତାର ଅଭାବ ହେତୁ ଦୁର୍ଗମ ଅଞ୍ଚଳ ମାନଙ୍କରେ ତାହା ସଠିକ ଭାବେ ସମ୍ପାଦନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ବ୍ରାହ୍ମଣୀଗାଁରେ ପାନୀୟ ଜଳ ଓ ଚାଷ ଜମିପାଇଁ ଜଳ ଯୋଗାଣର ଘୋର ସମସ୍ୟା ଦେଖାଦେଇଛି ।କେଉଁ ଆବାହମାନ କାଳରୁ ଏହି ଗ୍ରାମରେ ଭିମାନାଳ ବା ମାଟିଗାଡିଆଲ ନାମରେ ଏକ ଚୀରଶ୍ରୋତା ଝରଣା ଅଛି । ପୂର୍ବ ପୁରୁଷରୁ ଏହି ନାଳରୁ ଗ୍ରାମବାସୀ ପାନୀୟ ଜଳ ବ୍ୟବହାର କରିଆସୁଥିଲେ ପରବର୍ତି ସମୟରେ ନଳକୂପ ଗୁଡିକ ଖୋଳାହେବା ପରେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଲେ କିନ୍ତୁ ଗାଧୁଆ, ଲୁଗାପଟା ସଫାସୁତୁରା ଆଦି କରିବା ପାଇଁ ଗ୍ରାମବାସୀ ଏହି ନାଳକୁ ବ୍ୟବହାର କରିଆସୁଛନ୍ତି । ପ୍ରାୟ ୧୯୯୦ ମସିହା ବେଳକୁ ତତ୍କାଳୀନ ସରପଞ୍ଚଙ୍କ ଉଦ୍ୟମରେ ଏକ ଆଗୁଳାବନ୍ଧ କରାଯାଇଥିଲା କିନ୍ତୁ ରକ୍ଷଣାବେକ୍ଷଣର ଅଭାବ ହେତୁ ବର୍ତମାନ ଏହା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏହି ବନ୍ଧ ତଳକୁ ଅନେକ ଚାଷ ଜମି ଅଛି କିନ୍ତୁ ଜଳାଭାବରୁ ଧାନ ବ୍ୟତୀତ ଅନ୍ୟାନ୍ୟ ଚାଷ କରିବା ସମ୍ଭବ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ପ୍ରତ୍ୟେକ ପଲ୍ଲିସଭା ଓ ଗ୍ରାମସଭାରେ ଏହାର ପୁନରୁଦ୍ଧାର କରିବାକୁ ପ୍ଲାନ ଦିଆଯାଉଛି ହେଲେ ତାହା କାର୍ଯ୍ୟକାରୀ ହେଉନାହିଁ । ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ରମେଶ ମାଝୀଙ୍କୁ ପଚାରିବାରୁ ଏପରି ଅଭିଯୋଗ ଆମପାଖରେ ହୋଇନାହିଁ ଯଦି ଏହାର ଆବଶ୍ୟକତା ଅଛି ଆମେ ଏଥର ପ୍ଲାନରେ ରଖିବୁ ଏବଂ ନିଶ୍ଚୟ କରିବୁ ବୋଲି କହିଛନ୍ତି । ଜନସାଧାରଣଙ୍କ ତଥା ଚାଷୀମାନଙ୍କ ସୁବିଧା ପାଇଁ ଏହି ବନ୍ଧର ପୁନରୁଦ୍ଧାର କରିବାକୁ ମାରିଆନ ଉଠାଣ ସିଂ, ମୁକୁନ୍ଦ ସିଂ, ସୁରେନ୍ଦ୍ର ବିଶୋଇ, ହରି ବିଶୋଇ, ଟୁମୁକୁ ନାୟକ, ସୋମବାରିଆ ମାଝୀ ପ୍ରଶନ୍ନ ବେହେରଦଳେଇ, ସମୀର ସିଂ, ଗାଣ୍ଡୁ ନାୟକ, ଦିନବନ୍ଧୁ ପାତ୍ରଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ