ବ୍ରିକ୍ସ ମଂଚକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ବ୍ରିକ୍ସ ବ୍ୟବସାୟିକ ମଂଚକୁ ସମ୍ବୋଧିତ କରି କହିଛନ୍ତି, ବିଶ୍ୱର ଆର୍ଥିକ ଅଭିବୃଦ୍ଧିରେ ବ୍ରିକ୍ସ ଦେଶମାନଙ୍କର ଯୋଗଦାନ ହେଉଛି ୫୦ ପ୍ରତିଶତ । ବୈଶ୍ୱିକ ସ୍ତରରେ ମାନ୍ଦାବସ୍ଥା ସତ୍ୱେ, ବ୍ରିକ୍ସ ଦେଶଗୁଡ଼ିକ ଆର୍ଥିକ ବିକାଶକୁ ଗତି ପ୍ରଦାନ କରିଛନ୍ତିି, ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ଦାରିଦ୍ର୍ୟରୁ ବାହାରକୁ ବାହାର କରିଛନ୍ତି ଏବଂ ପ୍ରାଦ୍ୟୋଗିକୀ ଓ ନବାଚାରରେ ନୂତନ ସଫଳତା ହାସଲ କରିଛନ୍ତି । ବ୍ରିକ୍ସ ଦେଶମାନଙ୍କର ଆନ୍ତଃ-ବାଣିଜ୍ୟ ଓ ନିବେଶ ଲକ୍ଷ୍ୟ ଆହୁରି ଅଧିକ ମହତ୍ୱକାଂକ୍ଷୀ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ସେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ କାରବାର ମୂଲ୍ୟକୁ କମ କରିବା ପାଇଁ ପ୍ରସ୍ତାବ ଆହ୍ୱାନ କରିଥିଲେ । ଆଗାମୀ ବ୍ରିକ୍ସ ସମ୍ମିଳନୀ ସୁଦ୍ଧା ଅତି କମରେ ପାଂଚଟି କ୍ଷେତ୍ର ଚିହ୍ନଟ କରାଯିବା ଆବଶ୍ୟକ, ଯାହାକୁ ନେଇ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସଂଯୁକ୍ତ ଉପକ୍ରମ ଗଠନ କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।


