ବ୍ରିଜ୍ କୋର୍ସ ଏକ ପ୍ରହସନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସରକାର ପିଲାମାନଙ୍କ ପାଇଁ ଯେଉଁ ବ୍ରିଜ କୋର୍ସ ଆରମ୍ଭ କରିଛନ୍ତି ତାହା ଏକ ପ୍ରହସନରେ ପରିଣତ ହୋଇଛି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛି । କରୋନା କାଳରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ପୂର୍ବ ୨ ବର୍ଷର ପାଠ୍ୟକ୍ରମକୁ ୩୫ ଦିନରେ ଅର୍ଥାତ୍ ଗ୍ରୀଷ୍ମଛୁଟି ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ଓ ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟ କରିଛନ୍ତି । ମଇ ୨ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ଦିନ ବିିତିଯାଇଥିଲେ ମଧ୍ୟ ସମସ୍ତ ବିଦ୍ୟାଳୟକୁ ବ୍ରିଜକୋର୍ସ ବହି ଯୋଗାଇ ଦିଆଯାଇ ନାହିଁ । ଯେଉଁ ବିଦ୍ୟାଳୟକୁ ବହି ଯୋଗାଇ ଦିଆଯାଇଛି ତାହା ଛାତ୍ରଛାତ୍ରୀ ସଂଖ୍ୟା ଅନୁଯାୟୀ ଦିଆଯାଇ ନାହିଁ । ତେଣୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବହିଗୁଡ଼ିକ ବଣ୍ଟନ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଲା, ସରକାର ଯେଉଁ ନିଷ୍ପତ୍ତି ନେଲେ ବ୍ରିଜକୋର୍ସରେ ପୂର୍ବ ଶ୍ରେଣୀର ପାଠ୍ୟକ୍ରମ ସ୍ଥାନ ପାଇବ, କିନ୍ତୁ ବ୍ରିଜକୋର୍ସରେ ପୂର୍ବ ଶ୍ରେଣୀର ପାଠ୍ୟକ୍ରମ ସ୍ଥାନ ନପାଇ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଯେଉଁ ଶ୍ରେଣୀରେ ପଢୁଛନ୍ତି ସେହି ଶ୍ରେଣୀର ପାଠ୍ୟକ୍ରମ ସ୍ଥାନ ପାଇଛି । ବର୍ତ୍ତମାନ ଛାତ୍ରଛାତ୍ରୀମାନେ ପଢୁଥିବା ଶ୍ରେଣୀର ପାଠ୍ୟକ୍ରମକୁ ଆଦୌ ପଢିନଥିବାରୁ ସେମାନେ ବ୍ରିଜକୋର୍ସ ପାଠ୍ୟପୁସ୍ତକର କାର୍ଯ୍ୟପୁସ୍ତିକା କରିବାରେ ବିଫଳ ହେଉଛନ୍ତି ଓ ଶିକ୍ଷକମାନଙ୍କୁ ମଧ୍ୟ ବ୍ରିଜକୋର୍ସ ଶିକ୍ଷାଦାନ କରିବା ପାଇଁ କଷ୍ଟସାଧ୍ୟ ହେଉଛି । ସରକାରଙ୍କ ବଡ଼ ବଡ଼ ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ କେବଳ ନିତି ନିର୍ଦ୍ଧାରଣ କରି ବସି ପଡୁଛନ୍ତି । କିନ୍ତୁ ଏହାକୁ ବିଦ୍ୟାଳୟସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାଁନ୍ତି । ୭ ବର୍ଷ ଧରି ପ୍ରାଥମିକ ବିଦ୍ୟାଳୟରେ ସରକାର ଶିକ୍ଷକ ନିଯୁକ୍ତି କରିନାହାଁନ୍ତି । ସମସ୍ତ ବିଦ୍ୟାଳୟରେ ମଧ୍ୟ ଭିତ୍ତିଭୂମିର ବିକାଶ ହୋଇନାହିଁ । ସରକାର ଶିକ୍ଷାକୁ ଧ୍ୱଂସ ଆଡ଼କୁ ନେଉଛନ୍ତି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛି । ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିତି ଯୋଗୁ ଛାତ୍ରଛାତ୍ରୀମାନେ ଅଧାରୁ ପାଠ ଛାଡୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି । ସରକାର କେବଳ ନିିତି ନିର୍ଦ୍ଧାରଣ କରି ନିଜ ଦୋଷ ଛଡ଼ାଉଛନ୍ତି ବୋଲି ପିଷ୍ଟାର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ଅଭିଯୋଗ କରିଛନ୍ତି । ଆଜି ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ସରକାର ନିଜେ ଦାୟୀ ଅଟନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଭିତ୍ତଭୂମିର ବିକାଶ, ଶିକ୍ଷକ ନିଯୁକ୍ତି ଓ ସଠିକ୍ ନିତି ନିର୍ଦ୍ଧାରଣ କରିବା ପାଇଁ ସଂଘର ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପଳ କିଶୋର ସେନ, କାର୍ଯ୍ୟକାରୀ ସଭାପତି ଦୀପକ କୁମାର ସାହୁ, ଜନ୍ମେଜୟ ମାଝି, ଶ୍ରୀକାନ୍ତ ବାରିକ, କୃଷ୍ଣଚନ୍ଦ୍ର ବେହେରା, ଅମରେନ୍ଦ୍ର ବାଗ, ରଶ୍ମିରଞ୍ଜନ ଧଳ, ସୁଧାଂଶୁ ଭୂଷଣ ନାୟକ, କେଶବ ଚନ୍ଦ୍ର କର, ସୁଧାଂଶୁ ମଣ୍ଡଳ ପ୍ରମୁଖ ଏକ ପେସ୍ ବିବୃତ୍ତିରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ