ବ୍ରିଟିଶ ରାଜପ୍ରାସାଦ ଛାଡ଼ିଲେ ରାଣୀ ଏଲିଜାବେଥ
ଲଣ୍ଡନ: ବ୍ରିଟେନର ମହାରାଣୀ ଏଲିଜାବେଥ କୋରୋନା ଭୟରେ ବର୍ମିଂହାମ ରାଜପ୍ରାସାଦ ଛାଡ଼ିଛନ୍ତି। ତାଙ୍କୁ ୱିଣ୍ଡସର କ୍ୟାସଲ ନିଆଯାଇଛି। ଏହାର ପଛରେ ଥିବା ଯୋଜନା ଅନୁଯାୟୀ, କୋରୋନା ଭାଇରସର ପ୍ରକୋପ ବଢ଼ିଲେ ପ୍ରିନ୍ସ ଫିଲିପଙ୍କୁ ସେଣ୍ଡ୍ରିଗାମରେ ଅଲଗା କରି ରଖାଯାଇପାରିବ। ରାଜ ପରିବାର ସୂତ୍ରରୁ ଗଣମାଧ୍ୟମକୁ କୁହାଯାଇଛି ଯେ ତାଙ୍କୁ ୱିଣ୍ଡସର କ୍ୟାସଲ ନିଆଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। କିନ୍ତୁ ଏସବୁ ପରେ ମଧ୍ୟ ତାଙ୍କୁ ସେଠାରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯିବା ଭଲ ହେବ ବୋଲି କୁହାଯାଇଛି। କାରଣ ତାଙ୍କର ଷ୍ଟାଫ କୋରୋନା ଭାଇରସକୁ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି।
ବ୍ରିଟିଶ ରାଜପ୍ରାସାଦକୁ ବିଶ୍ୱର ଚାରିଆଡୁ ଲୋକ ଆସୁଛନ୍ତି। ଏଠାରେ ବଡ଼ ବଡ଼ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ମହରାଣୀ ନିକଟରେ ଅନେକ ଲୋକଙ୍କୁ ଭେଟିଥିଲେ। ସେ ଆଉ କିଛି ଦିନ ପରେ ନିଜର ୯୪ତମ ଜନ୍ମଦିନ ପାଳନ କରିବେ। ପରାମର୍ଶଦାତାଙ୍କ କହିବାନୁଯାୟୀ, ବର୍ମିଂହାମ ବିପଦପୂର୍ଣ୍ଣ ସ୍ଥାନ ହୋଇପାରେ। କାରଣ ଏହା ଲଣ୍ଡନର ମଧ୍ୟବର୍ତ୍ତୀ ସ୍ଥଳରେ ଅଛି। ଏଠାରେ ଅନ୍ୟସ୍ଥାନ ତୁଳନାରେ ଅଧିକ କର୍ମଚାରୀ ରହୁଛନ୍ତି। ଚୀନ ପରେ ୟୁରୋପୀୟ ଦେଶଗୁଡ଼ିକ କୋରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଇଟାଲୀରେ ରବିବାର ଗୋଟିଏ ଦିନରେ କୋରୋନା ଭାଇରସ ଯୋଗୁଁ ୩୬୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ସ୍ପେନରେ ଗୋଟିଏ ଦିନରେ ଭାଇରସ ଯୋଗୁଁ ୧୦୦ ଜଣ ଲୋକ ଜୀବନ ହରାଇଛନ୍ତି। ସ୍ପେନରେ ଜାତୀୟ ଜରୁରୀକାଳନୀ ଘୋଷଣା ହୋଇଛି। ଫ୍ରାନ୍ସରେ ଗୋଟିଏ ଦିନରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ୱରେ ଏଯାବତ୍ ୧ ଲକ୍ଷ ୫୦ ହଜାରରୁ ଅଧିକ ଲୋକ କୋରୋନା ଭାଇରସରେ ପ୍ରଭାବିତ ହୋଇଥିବା ଖବର ମିଳିଛି।