ବ୍ଲକରେ ଖାଲି ପଡିଥିବା ଭତ୍ତା ତାଲିକା ପ୍ରକାଶ ପାଉନଥିବା ନେଇ ଅସନ୍ତୋଷ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକରେ ବିଭିନ୍ନ ପଞ୍ଚାୟତରେ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଛି । ଏପରିକି ଅନେକ ମଲା ଲୋକଙ୍କ ନାମରେ ଦୀର୍ଘ ବର୍ଷ ଦରି ଭତ୍ତା ଟଙ୍କା ଉଠୁଥିଲେବି ବିଭାଗୀୟ ଅଧିକାରୀ ମାନେ ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ବ୍ଲକର ସମସ୍ତ ପଞ୍ଚାୟତରେ ମୃତୁ୍ୟବରଣ କରୁଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦ କରାଯାଉଛି ନା ନାହିଁ ସେନେଇ କୌଣସି ତଥ୍ୟ ଦେବାକୁ ବିଭାଗୀୟ ଅଧିକାରୀ ନିରବ ରହୁଛନ୍ତି । ଯାହାକୁ ନେଇ ଆଜିର ସମିତି ବୈଠକରେ ତୁମ୍ବି ତୋଫାନ ହୋଇଥିଲା । ହାଟଡିହି ବ୍ଲକର କେଉଁ କେଉଁ ପଞ୍ଚାତରେ କେତେ ଲୋକ ଭତ୍ତା ପାଉଛନ୍ତି ତାହାର କୌଣସି ତଥ୍ୟ କାର୍ଯ୍ୟାଳୟରେ ନାହିଁ । ଏନେଇ ବିଗତ ତିନିବର୍ଷ ହେଲା ତଥ୍ୟ ମଗାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଥ୍ୟା ନଦେଇ ବିଭିନ୍ନ ବାହାନା କରି ଗଡାଇ ଚାଲିଛନ୍ତି । ହାଟଡିହି ବ୍ଲକରେ ମଧୁବାବୁ ଯୋଜନାରେ ୧୦୨୮୮ ଓ ଇନ୍ଦିରାଗାନ୍ଧୀ ପେନସନ ଯୋଜନାରେ ୭୬୨୩ଜଣଙ୍କୁ ଭତ୍ତା ଦିଆଯାଉଥିବା ବ୍ଲକ ପକ୍ଷରୁ କୁହାଯାଉଛି । କିନ୍ତୁ କେଉଁ ପଞ୍ଚାୟତରେ କେତେ ଭତ୍ତା ହିତାଧିକାରୀ ଅଛନ୍ତି ତାହାର କୌଣସି ସଠିକ ସୁଚନା ବ୍ଲକ ପକ୍ଷରୁ ଦିଆଯାଉ ନାହିଁ । ଗତ କିଛିଦିନ ତଳେ ଡଅଁର ପଞ୍ଚାୟତରେ ୬୦ରୁ ଉର୍ଦ୍ଧ ମଲାଲୋକଙ୍କ ନାମରେ ଦୀର୍ଘ ବର୍ଷ ଧରି ଭତ୍ତା ଉଠାଣ ହେଉଥିବାବେଳେ କେ ବାଲିପାଳ, କଳିଗାଁ, ହଦଗଡ, ପଢ଼ିଆରିପଲ୍ଲୀ ଆଦି ପଞ୍ଚାୟତରେ ପଞ୍ଚାୟତରେ ସମାନ ଢ଼ଙ୍ଗରେ ଉଠାଯାଉଥିଲା । ତତକାଳୀନ ବିଡିଓଙ୍କ ହସ୍ତକ୍ଷେପ ପରେ ସେଥିରେ କିଛିଟା ସୁଧାର ଆସିଥିଲେବି ତାହା ସମ୍ପୁର୍ଣ୍ଣ ହୋଇ ପାରିନି । ଏବେବି ଅନେକ ପଞ୍ଚାୟତରେ ମଲା ଲୋକଙ୍କ ନାମରେ ଭତ୍ତା ଉଠାଯାଉଛି । ଏତେସବୁ ପରେବି ଏନେଇ ଆଜି ପର୍ଯ୍ୟନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏହାର ତଦନ୍ତ କରୁନାହାନ୍ତି । ସେ ଟଙ୍କାକୁ କିଏ ନେଉଥିଲା ତାହାର କିଛି ତଦନ୍ତ ହେଲାନି । ବିଶେଷକରି ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ରୋଗାଗ୍ରସ୍ଥ ହୋଇ ପଡିଥିବାରୁ ଏହାର ସୁଯୋଗରେ କିଛି କର୍ମଚାରୀ ହାତ ଚିକଣ କରିଚାଲିଛନ୍ତି । ସେମାନଙ୍କ ମର୍ଜିରେ ଭତ୍ତା ପ୍ରଦାନ କରାଯାଉଛି । ଶହଶହ ହିତାଧିକାରୀ ଭତ୍ତା ପାଇବାକୁ ଅପେକ୍ଷ କରିଥିବାବେଳେ ସେମାନଙ୍କୁ ଭତ୍ତା ଅନୁମୋଦନ ହେଉ ନାହିଁ । ଖାଲିଥିବା ତାଲିକା ଦେଲେ ଅନେକ ହିତାଧିକାରୀ ଭତ୍ତା ପାଇପାରନ୍ତେ । କିନ୍ତୁ ଏହି କର୍ମଚାରୀ ମାନେ ଜାଣିଶୁଣି ତାଲିକା ଦେଉ ନାହାନ୍ତି ବୋଲି ଆଜି ବ୍ଲକ ବୈଠକରେ ସରପଞ୍ଚ, ଜିଲ୍ଲାପରିଷଦ ସଦସ୍ୟ ମାନେ ଅଭିଯୋଗ କରିଥିଲେ । ଅନେକ ପଞ୍ଚାୟତରେ ମୃତ ହିତାଧିକାରୀଙ୍କ ତାଲିକା ବ୍ଲକକୁ ଦିଆଯାଇଥିଲେ ମଧ୍ୟ ବ୍ଲକ କର୍ତ୍ତୁପକ୍ଷ ସେମାନଙ୍କ ନାମକୁ ବାଦ ନକରି ସେମାନଙ୍କ ନାମରେ ଟଙ୍କା ପଠାଉଥିବାରୁ ପଞ୍ଚାୟତ ମାନଙ୍କରେ ହଜାର ହଜାର ଟଙ୍କା ବଳିପଡୁଛି ଓ ଅଯଥା ସରପଞ୍ଚ ଏବଂ ପିଇଓ ମାନେ ନିନ୍ଦିତ ହେଉଛନ୍ତି ବୋଲି ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି । ସେହିପରି ପଞ୍ଚାୟତରେ ବଳିପଡିଥିବା ଭତ୍ତା ଟଙ୍କା କିଏ ଫେରାଉଛି କି ନାହିଁ କି କାହା ଏକାଉଣ୍ଟରେ ରହୁଛି ତାର ମଧ୍ୟ କୌଣସି ହିସାବ ବ୍ଲକରେ ନାହିଁ । ଅଧିକାଶଂ ପଞ୍ଚାୟତରେ ମୃତବ୍ୟକ୍ତିଙ୍କ ସ୍ଥାନରେ ନୁତନ ହିତାଧିକାରୀ ଚୟନ କରାଯାଉ ନଥିବାରୁ ଶହଶହ ନୁଆ ହିତାଧିକାରୀ ଭତ୍ତା ପାଇପାରୁ ନାହାନ୍ତି । ଏପରିକି ବିଧାୟକ ମଧ୍ୟ ଏନେଇ ବ୍ଲକ କର୍ମଚାରୀ ମାନଙ୍କୁ ତାଗିଦା କରି ତୁରନ୍ତ ଖାଲି ପଡିଥିବା ତାଲିକା ତୁରନ୍ତ ଦେବାକୁ ତାଗିଦ କରିଛନ୍ତି ।