ବ୍ଲକ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ବଳି ପଡୁଛନ୍ତି ହିତାଧିକାରୀ: ଆବାସ ଯୋଜନା ଟଙ୍କା ଅନ୍ୟ ଏକାଉଣ୍ଟରେ ଉଠିଲା, ୫ବର୍ଷ ହେଲା ବ୍ଲକ ଦୌଡୁଛନ୍ତି ହିତାଧିକାରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ): ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ଯୋଜନା ଗୁଡିକୁ ସଫଳ ରୁପାୟନ କରିବାପାଇଁ ନିଯୁକ୍ତି ଥିବା କର୍ମଚାରୀଙ୍କ ବେପରୁଆ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଗରିବ ହିତାଧିକାରୀ ମାନେ ଏହାର ଶୀକାର ହେଉଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ପୁର୍ବେ ପଞ୍ଚୁଗୋଛିଆ ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ଅନ୍ୟ ଲୋକଙ୍କୁ ବିକ୍ରୀ କରିଦେଇଥିବାବେଳେ ଏବେ ଶାଳଣିଆଁ ପଞ୍ଚାୟତରେ ମଧ୍ୟ ସେହିପରି ଏକ ଅଭିଯୋଗ ଆସିଛି । ଜଣେ ବ୍ୟକ୍ତିଙ୍କୁ ଘର କରିବାପାଇଁ କାର୍ଯ୍ୟାଦେଶ ଦେବାସହ ତାଙ୍କ ଏକାଉଣ୍ଟକୁ ଟଙ୍କା ଦେବା ବଦଳରେ ଆଉ ଜଣେ ବ୍ୟକ୍ତିଙ୍କ ଏକାଉଣ୍ଟକୁ ଟଙ୍କା ଦେଇଦେବାରୁ ବିଚରା ହିତାଧିକାରୀ ଜଣକ ୫ବର୍ଷ ହେଲା ବ୍ଲକକୁ ଦୌଡୁଥିଲେବି କେହି ତାଙ୍କ ଦୁଖଃ ଶୁଣୁ ନଥିବା ସେ କହିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ଶାଳଣିଆଁ ଗ୍ରାମର ଅଭିମନ୍ୟୁ ଯେନା, ପିତା- ବାଇଧର ଜେନା ଜଣେ ମାନସିକ ଅନଗ୍ରସର ବ୍ୟକ୍ତି । ଘରେ ନିଜ ସ୍ତ୍ରୀ ଓ ଦୁଇପୁଅଙ୍କୁ ନେଇ ତାଙ୍କ ସଂସାର । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ଏକ ଭଙ୍ଗା ଚାଳଘରେ ମୁଣ୍ଡ ଗୁଞ୍ଜୁଛନ୍ତି । ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଗତ ୨୦୧୬/୧୭ରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଥିଲା । ଏଥିପାଇଁ ୨୪/୦୫/୨୦୧୭ରେ ତାଙ୍କ ଏକାଉଣ୍ଟକୁ ୨୦ହଜାର ଟଙ୍କା ପଠାଗଲା ବୋଲି ବ୍ଲକ ପକ୍ଷରୁ କୁହାଗଲା । ତତକାଳୀନ ପିଇଓ ଏବଂ ଜିଆରଏସ ତାଙ୍କ ଘରକୁଯାଇ ତୁରନ୍ତ ଆବାସ ଯୋଜନା ଘର ଆରମ୍ଭ କର ବୋଲି କହିଥିଲେ । କିନ୍ତୁ ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଇନଥିବା ନେଇ ଆପତ୍ତି ଅଭିଯୋଗ କରିବାସହ ବ୍ୟାଙ୍କ ଜମାଖାତା ମଧ୍ୟ ଦେଖାଇଥିଲେ । କିନ୍ତୁ ପିଇଓ ଓ ବ୍ଲକର ଅନ୍ୟ କିଛି ଅଧିକାରୀ ଦୁଇତିନି ଥର ତାଙ୍କ ଘରକୁ ଯାଇ ତୁମ ଏକାଉଣ୍ଟକୁ ଟଙ୍କା ଆସିଛି ଯଦି ଘର ନକରିବ ତୁମ ରେସନକାର୍ଡ କଟିଯିବ ବୋଲି କହି ତାଙ୍କୁ ଘର କରିବାକୁ ବାଧ୍ୟ କରିଥିଲେ । ଅଭିମନ୍ୟୁଙ୍କ ପତ୍ନୀ ଏ ବାବଦରେ ବ୍ଲକ କାର୍ଯ୍ୟାଳୟକୁ ଆସି ବହୁବାର କହିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ କେହି ଶୁଣି ନଥିଲେ । ସେ ଆବେଦନ ସମୟରେ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କର ଏକାଉଣ୍ଟ ନମ୍ବର ଓ ଜମାବହିର ନକଲ ଆଦି ଦେଇଥିଲେ ମଧ୍ୟ ଅନୁଦାନ ଟଙ୍କା ତାଙ୍କ ଏକାଉଣ୍ଟ ବଦଳରେ ଭିନ୍ନ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ଜମାଖାତାକୁ ଯାଇଥିବା ସେ ଜାଣିବାକୁ ପାଇଥିଲେ । କିପରି ସେହି ଟଙ୍କା ଫେରସ୍ତ ଅଣାଯାଇ ତାଙ୍କୁ ଦିଆଯିବ ଓ ସେ ଘର କାମ ଆରମ୍ଭ କରିବେ ସେନେଇ ଅଭିମନ୍ୟୁଙ୍କ ପତ୍ନୀ ପୁର୍ଣ୍ଣିମା ଯେନା ୫ବର୍ଷ ହେଲା ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କେହି ଅଧିକାରୀ କିମ୍ବା ଏହି ବିଭାଗର କର୍ମଚାରୀ ଆଉ ଧରାଛୁଆଁ ଦେଉ ନାହାନ୍ତି । ବିଚରା ଅଭିମନ୍ୟୁ ଓ ତାଙ୍କ ପତ୍ନୀ ଦୁଇଛୋଟ ପୁଅଙ୍କୁ ଧରି ଏକ ଭଙ୍ଗା ଚାଳଘରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଏପରିକି ବନ୍ୟା ବାତ୍ୟା ଆସିଲେ ପ୍ରଶାସନ ତାଙ୍କୁ ନିକଟସ୍ଥ ସ୍କୁଲ କିମ୍ବା ଆଶ୍ରୟସ୍ଥଳୀକୁ ନେଇ ଶାନ୍ତ୍ୱନା ଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତିି । ଖାଲି ଏହି ଗୋଟିଏ ଦୁଇଟି ପରିବାର ନୁହନ୍ତି ବ୍ଲକର କିଛି ଅସାଧୁ କର୍ମଚାରୀଙ୍କ ପାଇଁ ବିଭିନ୍ନ ପଞ୍ଚାୟତରେ ଶହଶହ ପରିବାର ଏହିପରି ଅସୁବିଧା ଯୋଗୁଁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବୋଲି ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ ଅଭିଯୋଗ କରିଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ଅଭିମନ୍ୟୁଙ୍କୁ ଆବାସ ଯୋଜନା ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ