ବ୍ଲକ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ଦାବି ରେ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା କମିଟି ସଦସ୍ୟ ନବକିଶୋର ମହାନ୍ତି ଆମରଣ ଅନଶନରେ ଗୁରୁବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିବା ବେଳେ ସଂଧ୍ୟା ସମୟରେ ଶରୀର ଅସୁସ୍ଥତା ହେତୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତି ହୋଇଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଲିଖିତ ପ୍ରତିଶୃତି ନ ଦିଆ ଯିବା ପର୍ଯ୍ୟନ୍ତ ଅନଶନରୁ ଓହରିବେ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଆମରଣ ଅନଶନକୁ ସମର୍ଥନ ଜଣାଇ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ବ୍ଲକ ସଂଯୋଜକ କୈଳାଶ ପରିଡା, ନାଉଗାଁ ଜନସ୍ୱାର୍ଥ କମିଟିର ସଭାପତି ବଂଶୀଧର ବେହେରା, ଏଆଇକେକେଏମଏସର ଜିଲ୍ଲା ସଭାପତି ସୁବାସ ସ୍ୱାଇଁଙ୍କ ସମେତ ବିଭିନ୍ନ ସଂଗଠନରୁ ୫୦ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ । ଅନ୍ୟପଟରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆମରଣ ଅନଶନସ୍ଥଳରେ ପହଁଚି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜି ଥିଲେ । ଖବର ପ୍ରସ୍ତୁତ ହେଲା ବେଳକୁ ଅମରଣ ଅନଶନସ୍ଥଳରେ ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ବ୍ଲକ ସଂଯୋଜକ କୈଳାଶ ପରିଡା ପ୍ରମୁଖ ଉପସ୍ଥିତ ରହିଛନ୍ତି । ସୂଚନା ଥାଉକି ଉକ୍ତ ରାସ୍ତା ନିର୍ମାଣ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତ ୧୫ ତାରିଖରେ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଯଦି ୭ଦିନ ମଧ୍ୟରେ ସେମାନଙ୍କର ଦାବି ପୂରଣ ନ ହୁଏ ଆମରଣ ଅନଶନରେ ବସି ରହିବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ