ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ସାମାଜିକ ସମୀକ୍ଷା ତାଲିମ
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍):ବାଲେଶ୍ୱର ସଦର ବ୍ଲକ ସମ୍ମିଳନୀ କକ୍ଷଠାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନେଇ ଦିନିକିଆ ସାମାଜିକ ସମୀକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଶୁଭାରମ୍ଭ କରିବା ସହିତ ସମୀକ୍ଷା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ, ବିଧି ବ୍ୟବସ୍ଥା, ସମୀକ୍ଷକଙ୍କ ମଧ୍ୟରେ ପରସ୍ପର ସହ ସମନ୍ୱୟ ଓ ହିତାଧିକାରୀଙ୍କ ସହ ଯୋଗାଯୋଗ ସମ୍ପର୍କରେ ଆଲୋପାତ କରିଥିଲେ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ସର୍ବେଶ୍ୱର ସିଂ ଏଥିରେ ଯୋଗ ଦେଇ ସାମାଜିକ ସମୀକ୍ଷା ଗୋଷ୍ଠୀ ସହଭାଗିତା, ସାମାଜିକ ରୂପାନ୍ତରଣ ଓ ସରକାରୀ ଉତରଦାୟିତ୍ୱ ନିମନ୍ତେ ସର୍ବଶ୍ରେଷ୍ଠ ମାଧ୍ୟମ ଓ ଆର୍ଥିକ ସମୀକ୍ଷାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବୋଲି ମତବ୍ୟକ୍ତ କରିଥିଲେ । ଆର୍ଥିକ ସମୀକ୍ଷାରେ ଅନୁଷ୍ଠାନର ଆର୍ଥିକ ଦେଣନେଣକୁ ନିରୀକ୍ଷଣ କରି ଲାଭ, କ୍ଷତି ଓ ଆର୍ଥିକ ସ୍ଥିରତା ଉପରେ ଛବି ପ୍ରଦାନ କରାଯାଇଥାଏ । ସାମାଜିକ ସମୀକ୍ଷାରେ ସାମାଜିକ କାର୍ଯ୍ୟକ୍ରମ, ହିତାଧିକାରୀ, ଗୋଷ୍ଠୀ ସଦସ୍ୟ, ସରକାରୀ କର୍ମଚାରୀ ଇତ୍ୟାଦିଙ୍କ ଭାଗିଦାରୀ ଓ ତଦାରଖ ସହ ଏହାର ଭୌତିକ ପ୍ରମାଣ ଓ ନୈତିକ ଅଭିଳାଷ ପୂରଣର ପ୍ରଦର୍ଶନକୁ ଅନୁଧ୍ୟାନ କରାଯାଇଥାଏ ବୋଲି ସେ କହିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କମଳାକାନ୍ତ ବେହେରା ସାମାଜିକ ସମୀକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସଠିକ୍ ତଥ୍ୟ ହାସଲ ହିଁ ସମୀକ୍ଷାର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ । ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ରାଉଳ ସମୀକ୍ଷାର ଲକ୍ଷ୍ୟ, ଉଦ୍ଦେଶ୍ୟ, ତଥ୍ୟ ହାସଲର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ, ରାଜ୍ୟର ଦକ୍ଷ ସାମାଜିକ ସମୀକ୍ଷା ଅଧିକାରିଣୀ ସନ୍ଧ୍ୟାରାଣୀ ଦାସଅଧିକାରୀ, ପୁଷ୍ପାଞ୍ଜଳି ସାବତ, ଶ୍ରୀମତୀ ଜ୍ୟୋତିର୍ମୟୀ ସାମଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସମୀକ୍ଷକ, ଗ୍ରାମ୍ୟ ସମାଜିକ ସମୀକ୍ଷକ ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେଇ ସାମାଜିକ ସମୀକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।