ବ୍ଲକ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳାରେ ୮୧୪ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ମେଗା ସ୍ୱାସ୍ଥ୍ୟମେଳା ଓ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା କହିଲେ ଯେ ଲୋକମାନଙ୍କ ହାତ ପାହାନ୍ତାରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ହେଉଛି ଏହି ଶିବିରର ମୁଖ୍ୟ ଉଦେଶ୍ୟ । ଡାକ୍ତରଖାନାକୁ ଯାଇ ଲେକେ ବିଭିନ୍ନ ସମୟରେ ହନ୍ତସନ୍ତ ହୁଅନ୍ତି । ଏଥିସହ ଦଲାଲଙ୍କ ହାବୁଡ଼ରେ ମଧ୍ୟ ପଡିଥାନ୍ତି । ହେଲେ ଏଭଳି ମେଳାରେ ଲୋକେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ପାଇ ପାରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବୋଲି ବିଧାୟକ କହିଥିଲେ । ଡା. ଶ୍ରୀକାନ୍ତ ସ୍ୱାଇଁ, ଡା. ଖଗେଶ୍ୱର ନୟକ ପ୍ରମୁଖ ଏହି ମେଗା ସ୍ୱାସ୍ଥ୍ୟ ମେଳାକୁ ପରିଚାଳନା କରିଥିଲେ । ଏଥିରେ ଭେଷଜ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଚକ୍ଷୁରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତ୍ତି ରୋଗ ବିଶେଷଜ୍ଞ ପ୍ରମୁଖ ୨୫ଟି ବିଭାଗର ଡାକ୍ତରମାନେ ଯୋଗଦେଇ ରୋଗୀମାନଙ୍କ ଚିକିତ୍ସା କରିବା ସହ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଏହି ମେଳାରେ ୮୧୪ ଜଣ ରୋଗୀ ଚିକିତ୍ସିତ ହେବା ସହ ଆବଶ୍ୟକ ଡାକ୍ତରୀ ପରାମର୍ଶ ପାଇଥିଲେ । ଏହି ଅବସରରେ ଅନୁଷ୍ଠିତ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ବିଡିଓ ବନ୍ଦନା ଖଟୁଆ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଗୀତାଞ୍ଜଳି ଦାସ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ମଞ୍ଜୁଶ୍ରୀ ବିଶ୍ୱାଳ ପ୍ରମୁଖ ସରକାରୀ ଅଧିକାରୀମାନେ ଯୋଗଦେଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ଏହାର ପ୍ରତିକାର ବ୍ୟବସ୍ଥା କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ଭାଗବତପୁର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ସମିତିସଭ୍ୟା ପ୍ରମିଳା ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ଶୁଣିବା ସହ ପ୍ରତିକାର ବ୍ୟବସ୍ଥା ପାଇଁ ମରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ