ବ୍ଲକ ସ୍ତରୀୟ ସମନ୍ୱୟ ମେଳା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକରେ ସକ୍ରିୟ ଥିବା ମିଶନ ଶକ୍ତି ସଦସ୍ୟାଙ୍କୁ ବ୍ୟାଙ୍କ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଛି।ବ୍ଲକର ୨୧ ଟି ପଞ୍ଚାୟତରେ ସଙ୍ଗଠିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ବିଭିନ୍ନ ବ୍ୟାଙ୍କ ଶାଖା ତରଫରୁ ସହାୟତା ଯୋଗାଇ ଦିଆଯାଇଛି।ସ୍ଥାନୀୟ ବ୍ଲକର ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୧୦୨୯ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସହାୟତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୩୦୦ ଏସଏଚଜି ସଦସ୍ୟାଙ୍କୁ ୮କୋଟି ୭୯ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରାଯାଇଛି।ପୂର୍ବରୁ ୩୬୪ ଏସଏଚଜିଙ୍କୁ ବ୍ୟାଙ୍କ ଋଣ ସହାୟତା ଯୋଗାଇ ଦିଆ ଯାଇଥିଲା ବେଳେ ଅବଶିଷ୍ଟ ଏସଏଚଜି କୁ ଋଣ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।ଏହି ଉପଲକ୍ଷେ ଓଡିଶା ଜୀବିକା ମିଶନ ଏବଂ ହିଞ୍ଜିଳିକାଟୁ ମିଶନ ଶକ୍ତି ବିଭାଗ ପକ୍ଷରୁ ଗୁରୁବାର ବ୍ଲକ ସଭାକକ୍ଷ ଠାରେ ଏକ ବ୍ଲକ ସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା।ବିପିଏମ ପ୍ରକାଶ ଚନ୍ଦ୍ର ବଳିଆରସିଂଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ ଓ ସମ୍ମାନିତ ଅତିଥି ଭାବେ ବିଡ଼ିଓ ସୁବ୍ରତ କୁମାର ଜେନା,ସିଡିପିଓ ଗାଙ୍ଗୀ ସୁବୁଦ୍ଧି ଓ ଲିଡ଼ ବ୍ୟାଙ୍କ ପରିଚାଳକ ଶିଵ ପ୍ରସାଦ ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସରରେ ମିଶନ ଶକ୍ତି ସଦସ୍ୟାଙ୍କ ବିଭିନ୍ନ ଅଭାବ ଅସୁବିଧା ଓ ଆର୍ଥିକ ସ୍ଥିତିକୁ ଉପଲବ୍ଧି କରି ରାଜ୍ୟ ସରକାର ବିଭିନ୍ନ ସମୟରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛନ୍ତି।ଏଣୁ ବ୍ୟାଙ୍କ ଋଣ ସହାୟତାକୁ ବିନିଯୋଗ କରି ଆତ୍ମ ନିର୍ଭରଶୀଳ ଓ ଆର୍ଥିକ ଲାଭବାନ ହେଲେ ହିଁ ମିଶନ ଶକ୍ତିର ଅଭିବୃଦ୍ଧି ହେବ ବୋଲି ଅତିଥି ମାନେ ଆଶାବ୍ୟକ୍ତ କରିଥିଲେ।ସଠିକ ସମୟରେ ବ୍ୟାଙ୍କ ଋଣ ସହାୟତା ପରିଶୋଧ ପାଇଁ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।ସମୁଦାୟ ୧୨ଟି ବ୍ୟାଙ୍କ ଶାଖା ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ସର୍ବାଧିକ ୭୦ ଟି ଏସଏଚଜିକୁ ୧କୋଟି ୯୨ ଲକ୍ଷ,ଭାରତୀୟ ଷ୍ଟେଟ ବ୍ୟାଙ୍କ,ହିଞ୍ଜିଳିକାଟୁ ଶାଖା ୫୧ ଟି ଏସଏଚଜି କୁ ୧କୋଟି ୭୩ଲକ୍ଷ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସିକିରି ଶାଖା ୫୦ଟି ଏସଏଚଜିକୁ ୧କୋଟି ୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଛନ୍ତି।ଏସବିଆଇ,ସାରୁ ଶାଖା ଓ ୟୁକୋ ବ୍ୟାଙ୍କ,ହିଞ୍ଜିଳିକାଟୁ ଶାଖା ସର୍ବନିମ୍ନ ୫ଟି ଏସଏଚଜିକୁ ଯଥାକ୍ରମେ ୧୩ଲକ୍ଷ ଓ ୨୦ଲକ୍ଷ ଟଙ୍କା ଲେଖାଏଁ ବ୍ୟାଙ୍କ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଛନ୍ତି।କାର୍ଯ୍ୟକ୍ରମରେ ସତ୍ୟାଶିଷ ପଟ୍ଟନାୟକ,ଗୋଲକ ବିହାରୀ ବେହେରା,ନେହା କୁମାରୀ,ବର୍ଷାରାଣୀ ପଟ୍ଟନାୟକ,ଉତ୍ତମ କୁମାର ପ୍ରଧାନ ପ୍ରମୁଖ ଶାଖା ପରିଚାଳକ ଓ ଅନ୍ୟାନ୍ୟ ବ୍ୟାଙ୍କ ପ୍ରତିନିଧି ଯୋଗ ଦେଇଥିଲେ।ବିପିସି ଫଣି ଭୂଷଣ ବେହେରା ଓ ହିସାବ ରକ୍ଷକ ସି. ରବୀନ୍ଦ୍ର କୁମାର ପାତ୍ର ପରିଚାଳନା କରିଥିଲେ।


