ବ୍ଳକସ୍ତରୀୟ ସ୍ୱଚ୍ଛତା କମିଟି ଗଠନରେ ଅନିୟମିତତା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ନିଜେ ପରିଷ୍କାର ରହିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ସ୍ୱଚ୍ଛତା ପାଇଁ ସ୍ୱଚ୍ଛତା ପକ୍ଷ ପାଳନ ସମେତ ବିଭିନ୍ନ ସଚେତନତାମୂଳକ କାର୍ୟ୍ୟକ୍ରମ ମାନ କରାଯାଉଛି । ଏଥିପାଇଁ ଗ୍ରାମପଂଚାୟତ,ବ୍ଳକ, ଜିଲ୍ଲା ଆଦିକୁ ପୁରସ୍କୃତ ମଧ୍ୟ କରାଯାଉଛି । ଏପରିକି ବିଦ୍ୟାଳୟରେ ପିଲାମାନେ କିପରି ସ୍ୱଚ୍ଛତା ରକ୍ଷା କରିବେ ଓ ବିଦ୍ୟାଳୟ ପରିବେଶ କିପରି ସ୍ୱଚ୍ଛ ଓ ନିର୍ମଳ ରହିବ ସେଥିପାଇଁ ପିଲାମାନଙ୍କୁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ପାଇଖାନା ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ, ହାତ ଧୋଇବା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପ୍ରଣାଳୀ ଆଦି ସବୁ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ବିଦ୍ୟାଳୟର ପରିସର ସଫାସୁତୁରା ରହୁଛି କି ନାହିଁ, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସମୟରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି କି ନାହିଁ ସେବିଷୟରେ ତଦନ୍ତ କରିବା ପାଇଁ ବିଦ୍ୟାଳୟ ସ୍ତରୀୟ କମିଟି ଗଠନ କରାଯାଇଛି । ସବୁଠାରୁ ବଡ କଥା ହେଲା ବିଦ୍ୟାଳୟ ଗୁଡିକର ସ୍ୱଚ୍ଛତାକୁ ଦେଖି ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି । ସ୍ୱଚ୍ଛତା ପୁରସ୍କାର ପାଇଁ ନାଉଗାଁ ବ୍ଳକର ବିଭିନ୍ନ ବିଦ୍ୟାଳୟ ଆବେଦନ କରିଛନ୍ତି । ତେଣୁ ଆବେଦନ କରିଥିବା ବିଦ୍ୟାଳୟ ଗୁଡିକୁ ସଠିକ ଯାଂଚ କରିବା ପାଇଁ ବ୍ଳକସ୍ତରୀୟ ସ୍ୱଚ୍ଛତା କମିଟି ଗଠନ କରାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ଓଏସଇପିଏର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟ ତରଫରୁ ଚିଠି ନମ୍ବର ୧୫/ଏମଆଇଏସସି/୨୦୧୯ରେ ବ୍ଳକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଆସିଥିଲା । ଉକ୍ତ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ବ୍ଳକରେ ବ୍ଳକସ୍ତରୀୟ ସ୍ୱଛତା କମିଟି ଗଠନ କରାଯାଇଛି । କିନ୍ତୁ ଉକ୍ତ କମିଟି ଗଠନରେ ଅନିୟମିତା ହୋଇଥିବା ଅଭିଯୋଗ ହେଉଛି । ନିୟମାନୁସାରେ ଏହି କମିଟିରେ ଚେୟାରମ୍ୟାନ ଭାବେ ବ୍ଳକର ସଂପୃକ୍ତ ବିଡିଓ, ସଂଯୋଜକ ଭାବେ ବ୍ଳକ ଶିକ୍ଷାଧିକାରୀ ରହିବା ସହିତ ଅନ୍ୟ ସଦସ୍ୟ ଭାବେ ମେଡିକାଲ ଅଧିକାରୀ, ଅତିରକ୍ତ ବ୍ଳକ ଶିକ୍ଷାଧିକାରୀ, ସଂପୃକ୍ତ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟର ବୈଷୟିକ ପରାମର୍ଶଦାତା, ଅଭିଜ୍ଞ ସିଆରସିସି, ଅଭିଜ୍ଞ ଶିକ୍ଷକଙ୍କ ସମେତ ସ୍ଥାନୀୟ ଅଂଚଳର ୨ଟି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଟାନର ସଦସ୍ୟ ଉକ୍ତ କମିଟିର ସଦସ୍ୟ ଭାବେ ରହିବେ । ଯାହାକୁ ନେଇ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବ୍ଳକର ବ୍ଳକ ଶିକ୍ଷାଧିକାରୀ କାର୍ୟ୍ୟାଳୟର ଚିଠି ନମ୍ବର ୧୭୧୪/୧୫.୧୦.୨୦୧୯ରେ ସ୍ୱଚ୍ଛତା କମିଟି ଗଠନ କରାଯାଇଛି । ଏହି କମିଟିରେ ସ୍ୱେଚ୍ଛାସେବୀ ଅନୁଷ୍ଟାନ ସମେତ ଶିକ୍ଷକ ଓ ସିଆରସିସିଙ୍କୁ ମନଇଚ୍ଛା ସଦସ୍ୟ ଭାବେ ଚୟନ କରାଯାଇଥିବା କେତେକ ଶିକ୍ଷକ ନିଜର ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଅନେକ ସିଆରସିସିଙ୍କୁ କମିଟି ଗଠନ ସମୟରେ ଅବଗତ କରାଯାଇ ନଥିବା ଜଣାଯାଇଛି । ଏପରିକି ନିର୍ଦ୍ଦିଷ୍ଟ ସିଆରସିସିଙ୍କ ଇଙ୍ଗିତରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପରିବର୍ତେ ନିଜର ଜଣାଶୁଣା କ୍ଳବକୁ ଏହି କମିଟିରେ ସଦସ୍ୟ ଭାବେ ରଖାଯାଇଥିବା ଚର୍ଚ୍ଚା ହେଉଛି । ଯାହାକି ଶିକ୍ଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାଯାଇଛି । ବ୍ଳକରେ ଅନ୍ୟ ଆକ୍ଟିଭି ସ୍ୱଚ୍ଛାସେବୀ ଅନୁଷ୍ଠାନ ଥିବା ବେଳେ ସେମାନଙ୍କୁ ନ ଜଣାଇ ମନଇଚ୍ଛା ସଦସ୍ୟ ଚୟନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ କମିଟିର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏବିଷୟରେ ବ୍ଳକ ଶିକ୍ଷାଧିକାରୀ ମାଗୁଣି ଚରଣ ମହାନ୍ତିଙ୍କୁ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।