ବ୍ୟକ୍ତିଗତ ଜମିରେ ଖେଳ ପଡିଆ ନିର୍ମାଣ ଅଭିଯୋଗ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମର ଜନୈକ ବ୍ୟକ୍ତିଙ୍କ ନିଜସ୍ବ ଟିକସ ଭୂକ୍ତ ଜମିରେ ଖେଳ ପଡିଆ ନିର୍ମାଣ କରା ଯାଉଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବଡପଳସା ଗ୍ରାମପଞ୍ଚାୟତ ପକ୍ଷରୁ ମହାତ୍ମାଗାନ୍ଧୀ କର୍ମ ନିଜୁକ୍ତି ଯୋଜନାରେେ ପଟମବେଡା ଗ୍ରାମ ନିକଟରେ କାର୍ଯ୍ୟ କୋଡ୍ ନଂ- ଏଲଡି/୧୦୪୧୨୮୭୯’ ଅନୁସାରେ ୫’ଲକ୍ଷ ଟଙ୍କା ଅନୁଦାନ ରାଶିର ପ୍ରକଳ୍ପରେ ଏକ ଖେଳ ପଡିଆର ନିର୍ମାଣ କାର୍ଯ୍ୟ ଚାଲୁଅଛି।ତେବେ ଉକ୍ତ ଜାଗାଟି କାଳିଚରଣ ମହାନ୍ତ’ଙ୍କ ନିଜସ୍ବ ଜମି ହୋଇଥିବାବେଳେ ତାହାର ଖାତା ନଂ- ୨୧’ ଓ ପ୍ଲଟ ନଂ- ୨୬୪/୨୬୫ ଅନୁସାରେ ଦଖଲ ରହିଛି। ଯେଉଁଥିରେ ୧’ଏକର ୦୩୭’ ଡେସିମିଲ ର ମୋଟ ଜାଗା ରହିଛି।ଉକ୍ତ ଜାଗାଟିର ଠିକ୍ ଭାବେ ସର୍ବେକ୍ଷଣ କରା ନଯାଇ କିପରି ଏକ ତରଫା ଭାବେ ଖେଳ ପଡିଆ ନିର୍ମାଣ କରାଯିବାକୁ ଚୟନ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି।ତେବେ କାଳିଚରଣ ମହାନ୍ତ’ଙ୍କ ପୁଅ ବିଜୟ ମହାନ୍ତ’ଙ୍କ ଅନୁସାରେ ଏନେଇ ବହଳଦା ତହସିଲଦାର’ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାବେଳେ ବହଳଦା ବ୍ଲକ ଉନ୍ନୟନ ଅଧିକାରୀ’ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି।ତେବେ ଯଥାଶୀଘ୍ର ଉକ୍ତ ଜମିରେ ଖେଳପଡିଆର ଉନ୍ନତ୍ତି କରଣ କାର୍ଯ୍ୟ ବନ୍ଦ କରାଯିବା ସହିତ କେଉଁ ପରିସ୍ଥିତିରେ ଟିକଟଭୂକ୍ତ ଜାଗାରେ ଖେଳ ପଡିଆ ନିର୍ମାଣ କରାଯିବାକୁ ଚୟନ କରାଗଲା ତାହାର ଯାଞ୍ଚ କରାଯିବାକୁ ଶ୍ରୀ ମହାନ୍ତ ଦାବି କରିଛନ୍ତି।


