ବ୍ୟକ୍ତିଗତ ଜମିରେ ପାଣି ପାଇପ ପକାଇବାକୁ ବିରୋଧରୁ ନିଆଁ ପାଣି ବାସନ୍ଦ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଏକ ବ୍ୟକ୍ତିଗତ ଜମି ଉପର ଦେଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଇପ ପକାଇବାକୁ ବିରୋଧ କରିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ନିଆଁ ପାଣି ବାଛନ୍ଦ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ବିଜୟନଗର ପଞ୍ଚାୟତର ଶାହାବାଜପୁର ଗ୍ରାମର ଶରତ ରାଉତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗ୍ରାମରେ ସରକାରଙ୍କ ପାନୀୟ ଜଳ ପ୍ରକଳ୍ପର ପାଇପ ତାଙ୍କ ବ୍ୟକ୍ତିଗତ ଜମି ଉପରେ ବିଛାଇ ଗ୍ରାମର ୫ଜଣ ଲୋକ ଜୋରଜବରଦସ୍ତ ସେମାନଙ୍କ ଘରକୁ ପାନୀୟ ଜଳ ସଂଯୋଗ ନେଲେ । ଏସମ୍ପର୍କରେ ଶରତ ମହାକାଳପଡା ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ସେହି ଲୋକମାନଙ୍କୁ ଥାନାକୁ ଡକାଯାଇ ଘଟଣାର ସମାଧାନ କରାଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେହି ଲୋକମାନେ ପ୍ରାୟ ୪ମାସ ପୂର୍ବେ ଅନ୍ଧୁଳି ଗ୍ରାମର ଏକ ଛେଳି ଚୋରି ଘଟଣାରେ ତାଙ୍କ ପୁଅ ନାମରେ ମିଥ୍ୟା ଆରୋପ ଲଗାଇ ଗ୍ରାମ କମିଟି ପକ୍ଷରୁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ତାଙ୍କୁ ବାଧ୍ୟ କଲେ । କିନ୍ତୁ ଶରତ ଏହି ଘଟଣାରେ ମାତ୍ରାଧିକ ଅର୍ଥ ଦେବାକୁ ଅସମର୍ଥ ବୋଲି କହିବାରେ ଗ୍ରାମ କମିଟି ପକ୍ଷରୁ ଶରତଙ୍କୁ ଏକ ଘରିକିଆ କରିଦେବା ସହ ନିଆଁ ପାଣି ବାସନ୍ଦ କରିଥିବା ଅଭିଯୋଗ କରିଛନ୍ତି । ଗ୍ରାମର କେହି ତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା କଲେ ତାଙ୍କୁ ୫ଶହ ଟଙ୍କା ଜୋରିମାନା ଦେବାକୁ ଗ୍ରାମ୍ୟ କମିଟି ପକ୍ଷରୁ ଫତୁଆ ଜାରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏତଦବ୍ୟତିତ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଶରତ ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ ଶରତଙ୍କ ଦୁଇ ପୁଅ ଘର ଛାଡି ବାହାରକୁ ପଳାଇ ଯାଇଥିବା ବେଳେ ତାଙ୍କ ଘରର ୩ଜଣ ସ୍ତ୍ରୀ ଲୋକଙ୍କ ସମେତ ୩ଟି ଛୋଟ ଛୁଆ ଓ ସେ ନିଜେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏଣୁ ତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବା ସହ ଏଭଳି ବେଆଇନ ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶରତ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ