ବ୍ୟବସାୟୀ ଙ୍କୁ ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ଓ ଲୁଟ ମାମଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ମଙ୍ଗଳବାର ପାଟପୁର ଥାନା ସାହାସପୁର ଗ୍ରାମର ଏନ୍. ତ୍ରିପତି ଓରଫ ନନ୍ଦ ପାତ୍ର,ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ବି.ଶିବ ପାତ୍ର, ଏ.ବଳରାମ ପାତ୍ର, ଏ.ସନ୍ତୋଷ ଓରଫ କିଷାନ ପାତ୍ର,ଜି.ବାସୁ ପାତ୍ର ଙ୍କୁ ଥାନା ମାମଲା ନଂ.୧୯୩/୨୩ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୋମବାର ଚୁଡୁଙ୍ଗପୁର ଗ୍ରାମର ବ୍ୟବସାୟୀ ବି. ସାଗର ପାତ୍ର ଡେଙ୍ଗାଓସ୍ତା ଗ୍ରାମରେ କାମ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ଗାଁ ନିକଟ ମୁଖ୍ୟରାସ୍ତା କଡର ଚିକେନ ଦୋକାନ ନିକଟରେ ଅଭିଯୁକ୍ତ ମାନେ ତାଙ୍କୁ ଅଟକାଇ ଗାଁ ଠାକୁରାଣୀ ଯାତ୍ରା ପାଇଁ ଚାନ୍ଦା ମାଗିଥିଲେ। ସେ ଚାନ୍ଦା ଦେଇସାରିଥିବା କହିବାରୁ ତୁମେ ପୁଣି ୧୦ ହଜାର ଚାନ୍ଦା ଦେବାକୁ ବାଧ୍ୟ କହି ତାଙ୍କୁ ସଂଘବଦ୍ଧ ଭାବେ ଅଚାନକ ଆକ୍ରମଣ କରିଥିଲେ। ତାଙ୍କ ପ୍ୟାଣ୍ଟ ପକେଟ ରୁ ଅଭିଯୁକ୍ତ ମାନେ ୧୫ ହଜାର ଟଙ୍କା ଜୋର୍ ଜବରଦସ୍ତ ଛଡାଇ ନେଇଥିଲେ। ସାଗର ମରିଗଲି ମରିଗଲି ମୋତେ ଉଦ୍ଧାର କର ବୋଲି ଚିତ୍କାର କରିବାରୁ ସେହି ରାସ୍ତା ଦେଇ ଦିଗପହଣ୍ଡି ଯାଉଥିବା ସାହାସପୁର ହାଟପଦା ଗ୍ରାମର ସନାତନ ବେହେରା ଅଭିଯୁକ୍ତ ଙ୍କ କବଳରୁ ସାଗର ଙ୍କୁ ଉଦ୍ଧାର କରିବାକୁ ଯିବାରୁ ଅଭିଯୁକ୍ତ ମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ପକେଟ ରୁ ୫୨୦୦ ଏବଂ ମୋବାଇଲ ଫୋନ ଛଡାଇ ନେଇ ଫେରାର ହୋଇଯାଇଥିଲେ।ଖବର ପାଇ ସାଗର ଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ହେବା ପରେ ସାଗର ଦିଗପହଣ୍ଡି ଥାନା ରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତି କରି ପୋଲିସ ମକଦ୍ଦମା ରୁଜୁ କରିବା ସହ ପୋଲିସ ଟିମ୍ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ୧ ହଜାର ଟଙ୍କା,ମୋବାଇଲ ଫୋନ ଏବଂ ଏକ ବାଇକ ନଂ.( ଓଡ଼ି ୦୭ ଟି -୪୩୨୭ ) କୁ ଜବତ କରିଛନ୍ତି।