ବ୍ୟବସାୟୀ ଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗ ; ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍) :ଦିଗପହଣ୍ଡି ଥାନା ମହୁଡ଼ା, ବନ୍ଥପଲ୍ଲୀ, ଚାଞ୍ଚଡାପଲ୍ଲୀ, ରଘୁନାଥପୁର ପ୍ରଭୃତି ଅଞ୍ଚଳରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ରୁ ଧମକ ଦେଇ ବ୍ୟବସାୟୀ ମାନଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଶନିବାର ଜଣେ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ସଦର କୋର୍ଟକୁ ଚାଲାଣ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ମହୁଡା ଚାଞ୍ଚଡାପଲ୍ଲୀ ଗାଁ ର ପପୁ ଲେଙ୍କା । ଥାନା ମାମଲା ନଂ.୨୬୧/୨୦ ଦଫା – ୩୮୬/୫୦୬ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ପପୁ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ପପୁ କିଛିଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଥିବା ପଥର ଖାଦାନ, କ୍ରସର ୟୁନିଟ୍, ଇଟାଭାଟି, ଗ୍ରାନାଇଟ କମ୍ପାନୀ ମାନଙ୍କରୁ ମାସିକ ବଟି ଜୋର୍ ଜବରଦସ୍ତ ଆଦାୟ କରୁଥିବା ପୋଲିସ କୁ ଗୁପ୍ତ ଖବର ମିଳିଥିଲା । ବ୍ୟବସାୟୀ ମାନେ ତାଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଭୟ କରୁଥିଲେ । ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଦିଗପହଣ୍ଡି,ବ୍ରହ୍ମପୁର ସଦର ଥାନା ସମେତ ଅନ୍ୟାନ୍ୟ ଥାନା ମାନଙ୍କରେ ହତ୍ୟା ଉଦ୍ୟମ, ଗୁଳି ଚାଳନା, ବୋମାମାଡ଼ ସମେତ ରାହାଜାନୀ ପ୍ରଭୃତି ଅନେକ ସଙ୍ଗୀନ ମାମଲା ରହିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ବିଭିନ୍ନ ସମୟରେ ବ୍ୟବସାୟୀ ଙ୍କ ଠାରୁ ଜୋର୍ ଜବରଦସ୍ତ ଦାଦାବଟି ଆଦାୟ କରୁଥିବା ନେଇ ପୋଲିସକୁ ସୁରାକ ମିଳିବା ପରେ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।


