ବ୍ୟବସାୟ ଦୃଷ୍ଟିରୁ ତଥ୍ୟ ଲୁଚାଉଛନ୍ତି କ୍ଳିନିକ୍ ଓ ପାଥୋଲ୍ୟାବ
ହିଞ୍ଜିଳିକାଟୁ, (ଓ୍ବାଇଏନ୍ଏସ୍):ବ୍ୟବସାୟରେ ବାଧା ଉପୁଜିବା ଆଶଙ୍କାରେ କରୋନା ପଜିଟିଭ ଚିହ୍ନଟ ପୂର୍ବରୁ, ଆକ୍ରାନ୍ତଙ୍କ ଚିକିତ୍ସା କରିଥିବା ଡ଼ାକ୍ତର, କ୍ଳିନିକ୍ ଓ ପାଥୋଲ୍ୟାବ୍, କ୍ୱାରେଂଟାଇନ ନଯିବା ଉଦ୍ଦ୍ୟେଶରେ ମୌନବ୍ରତ ଅବଲମ୍ବନ କରିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଉପଯୁକ୍ତ ସମୟ ପୂର୍ବରୁ ପ୍ରଶାସନିକ ଅଧିକାରୀ ଘଟଣାର ସତ୍ୟତା ଅନୁସନ୍ଧାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି । ନଚେତ ଆଗାମୀ ଦିନରେ ସ୍ଥାନୀୟ ଅଂଚଳରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।ହିଞ୍ଜିଳିକାଟୁ ପୌରାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା କାରାଣରୁ ପୌର ପ୍ରଶାସନ ପକ୍ଷରୁ ଗତ ୨୮ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ ସମୟ ସକାଶେ ପୌରାଂଚଳର ୪ଟି ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥ ବ୍ଳକ ଛକ ଠାରୁ ବଇଁଚବଣିଆ ଛକ ମୁଖ୍ୟ ରାସ୍ତା ଓ ୩୬ ନଂ ରାଜ୍ୟ ରାଜପଥ ପରିବା ବଜାର ଠାରୁ ଖରିଡ଼ା ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଏବଂ ପୌରାଂଚଳର ୩କିମି ପରିଧୀ ଅଂଚଳ ବଫରଜୋନ ଭାବେ ଘୋଷଣା କରାଇଛି । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୁଦ୍ଧା ସ୍ଥାନୀୟ ବ୍ଳକର ୯ଟି ପଂଚାୟତକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି । ସିକିରି ପଂଚାୟତର ଜୈନିକ ଯୁବକ ଜ୍ୱରରେ ଆକ୍ରାନ୍ତ ହୋଇ ସଂପୃକ୍ତ ଗ୍ରାମର ଜଣେ କ୍ୱାକ୍ଙ୍କ ନିକଟରେ ଚିକିତ୍ସିତ ହୋଇ ଆସୁଥିଲେ । ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ମଧ୍ୟ ରୋଗରୁ ଉପଶମ ନମିଳିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା ପରେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା । ପରେ ଚିକିତ୍ସା ସକାଶେ ସ୍ଥାନୀୟ କୋଭିଡ଼ ହସପିଟାଲରେ ଭର୍ତି କରାଯାଇଛି । ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଚିକିତ୍ସା ସେବା ଯୋଗାଇ ଆସୁଥିବା କ୍ୱାକ୍ ମାନେ ନିକଟସ୍ଥ ଔଷଧ ଦୋକାନ ଓ ପାଥୋଲ୍ୟାବ ମାଲିକଙ୍କ ସହ ସଲାସୁତୁରା କରି ବହୁ ବେଆଇନ କାର୍ଯ୍ୟ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।ଏପରିକି ବହୁ ପାଥୋଲ୍ୟାବ କ୍ୱାକ୍ ମାନଙ୍କୁ ମୋଟା ଅଙ୍କର ଲୋଭ ଦେଖାଇ ଅକାରଣରେ ବିଭିନ୍ନ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । କରୋନା ସଂକ୍ରମିତ ରୋଗୀ ମାନଙ୍କ ରକ୍ତ ପରୀକ୍ଷା କରୁଥିବା ପାଥୋଲ୍ୟାବ ମାଧ୍ୟମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରାଯାଉଛି । ଖବର ପ୍ରକାଶ ପରେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ନିରବ ସାଜିବା ଘଟଣା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲା ରାଜ୍ୟର ସର୍ବଧିକ କରୋନା ସଂକ୍ରମିତି ଜିଲ୍ଲା ଭାବେ ରହିଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏଥି ପ୍ରତି ଦୃଷ୍ଟି ପ୍ରଦାନ କରି ଚଢାଉ କଲେ ବହୁ ଗୋପନ ରହସ୍ୟା ଫର୍ଦ୍ଧାପାଶ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।