ବ୍ୟବହାର ବିନା ଜଙ୍କ୍ ଲାଗି ନଷ୍ଟ ହୋଇଥିବା ଟ୍ରାଫିକଷ୍ଟାଣ୍ଡ ପୋଷ୍ଟ ନବୀକରଣ ପାଇଁ ନିଆଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ହାଇସ୍କୁଲ ଛକ ଠାରେ ଥିବା ଟ୍ରାଫିକଷ୍ଟାଣ୍ଡ ପୋଷ୍ଟଟି ବ୍ୟବହାର ନ ହୋଇ ଜଙ୍କ୍ ଲାଗି ନଷ୍ଟ ହୋଇଯିବାରୁ ମରାମତି ପାଇଁ ନିଆଯାଉଥିବାର ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ପ୍ରାୟ ୮ ବର୍ଷ ପୂର୍ବେ ସେଞ୍ଚୁରିୟନ ୟୁନିଭେର୍ସିଟି ତରଫରୁ ଟ୍ରାଫିକ କର୍ମଚାରୀଙ୍କ ଲାଗି ଷ୍ଟାଣ୍ଡ ପୋଷ୍ଟ ପ୍ରଦାନ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ଯେ, ଖରା, ବର୍ଷା, ଶୀତରେ କାର୍ଯ୍ୟ କରୁଥିବା ଟ୍ରାଫିକ ବା ପୋଲିସ କର୍ମଚାରୀମାନେ ସୁରକ୍ଷିତ ଭାବେ ଦାୟିତ୍ୱ ତୁଲାଇବେ । ତେବେ ଏହି ଷ୍ଟାଣ୍ଡପୋଷ୍ଟଟି ସେବେ ଠାରୁ ବ୍ୟବହାର ନ ହୋଇ ଏଣେ ତେଣେ ରଖା ଯାଇଥିଲା । ପରିଶେଷରେ କିଛି ବର୍ଷ ପୂର୍ବେ ଏହାକୁ ହାଇସ୍କୁଲ ଛକ ତଥା ୩ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ ଅବସ୍ଥାପନ କରାଯାଇଥିଲା । ତେବେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ କିମ୍ବା ପୋଲିସ କର୍ମଚାରୀ ଏହି ଷ୍ଟାଣ୍ଡପୋଷ୍ଟରେ ନ ରହି ରାସ୍ତା ଉପରେ ରହି ଦାୟିତ୍ୱ ତୁଲାଉଥିଲେ କିମ୍ବା ପ୍ରାୟତଃ ଏଠାରେ କେହି ରହୁନଥିଲେ । କେବଳ ଏହାକୁ ଛକ ମଧ୍ୟରେ ଛିଡା କରିଦିଆଯାଇ ରଖାଯାଇଥିଲା । ଟ୍ରାଫିକଷ୍ଟାଣ୍ଡ ପୋଷ୍ଟଟି ବ୍ୟବହୃତ ହେଉନଥିବାର ଦେଖି କିଛି ବୁଲା ବେପାରି ଏଠାରେ ରହି ବେପାର ବେଉସା ମଧ୍ୟ କରୁଥିବାର ନଜିର ରହିଛି । ବର୍ତ୍ତମାନ ଏହା ବ୍ୟବହାର ନ ହେବା ଯୋଗୁଁ ଆବଶ୍ୟକୀୟ ରକ୍ଷଣା ବେକ୍ଷଣ ଅଭାବରୁ ବର୍ତ୍ତମାନ କଳଙ୍କ ଲାଗି ନଷ୍ଟ ହୋଇଯାଇଛି । ଯାହାକୁ ଆଜି ପୋଲିସ ବିଭାଗ ତରଫରୁ ମରାମତି ପାଇଁ ନିଆଯାଉଥିବାର ଦେଖିବାକୁ ମିଳିଛି । ଏହି ଷ୍ଟାଣ୍ଡପୋଷ୍ଟଟିକୁ ମରାମତି ପାଇଁ ନେଉଥିବାର ଦେଖି ଅଞ୍ଚଳବାସୀ ତଥା ସାଧାରଣରେ ନାନାଦି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ