ବ୍ୟାଙ୍କ୍ କର୍ମଚାରୀଙ୍କ ଧର୍ମଘଟ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌):ବ୍ୟାଙ୍କ୍ କର୍ମଚାରୀମାନଙ୍କ ସର୍ବଭାରତୀୟ ଧର୍ମଘଟ ଆହ୍ୱାନ ଫଳରେ ମଙ୍ଗଳବାରଦିନ ବାଲେଶ୍ୱରରେ ସମସ୍ତ ଜାତୀୟକରଣ ବ୍ୟାଙ୍କ୍‌ଗୁଡ଼ିକ କାରବାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ପୂର୍ବାହ୍ନ ଦଶଟାରେ ବ୍ୟାଙ୍କ କର୍ମଚାରୀମାନେ ବିଭିନ୍ନ ବ୍ୟାଙ୍କ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବ୍ୟାଙ୍କ୍ ଭିତରକୁ କୌଣସି ଅଧିକାରୀଙ୍କୁ ଛାଡ଼ିନଥିଲେ । ଫଳରେ ବ୍ୟାଙ୍କ୍‌ଗୁଡ଼ିକ କାର୍ଯ୍ୟ କରି ପାରିନଥିଲା । ୟୁକୋବ୍ୟାଙ୍କ୍‌ର ମୁଖ୍ୟ ଶାଖା ସମ୍ମୁଖରେ ସମସ୍ତ ବ୍ୟାଙ୍କ୍ କର୍ମଚାରୀମାନେ ସମବେତ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କର ତ୍ରୁଟିପୂର୍ଣ୍ଣ ଅର୍ଥନୀତି ବିରୁଦ୍ଧରେ ନାରାବାଜି କରିଥିଲେ । ବିକ୍ଷୋଭ ସ୍ଥଳରେ ବ୍ୟାଙ୍କ୍ କର୍ମଚାରୀମାନଙ୍କର ଦାବି ଓ ଧର୍ମଘଟକୁ ସମର୍ଥନ ଜଣାଇ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃତ୍ୱ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କର୍ପୋରେଟ୍ ହାଉସ୍‌ମାନଙ୍କୁ ସାହାଯ୍ୟ କରିବାପାଇଁ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । କୋଟିକୋଟି ଟଙ୍କା ଋଣନେଇ ଫେରସ୍ତ କରୁନଥିବା ବ୍ୟକ୍ତିମାନଙ୍କ ନାମ ସାଧାରଣରେ ପ୍ରକାଶ କରି ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା କରିବା, ବ୍ୟାଙ୍କ୍‌ରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରି ଠିକା ନିଯୁକ୍ତି ବ୍ୟବସ୍ଥା ବନ୍ଦ କରିବାକୁ ସେମାନେ ଦାବି କରିଥିଲେ । ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ଶରତ ଚନ୍ଦ୍ର ଦଳାଇ, ସି.ଆଇ.ଟି.ୟୁ.ର ନେତା ନିକୁଞ୍ଜ ବସନ୍ତ ରାୟ, ଶ୍ୟାମସୁନ୍ଦର ଜେନା, ପରିବହନ ଶ୍ରମିକ ନେତା ରାଜକିଶୋର ଲେଙ୍କା, ଉଠାଜଳସେଚନ କର୍ମଚାରୀ ସଂଘର ସଂପାଦକ ଶ୍ୟାମସୁନ୍ଦର ଜେନା, ଟି.ୟୁ.ଏ.ସି.ସି.ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଓ ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ବ୍ୟାଙ୍କ୍ କର୍ମଚାରୀଙ୍କ ଦାବି ଓ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇ କେନ୍ଦ୍ର ସରକାରଙ୍କ ପ୍ରଚଳିତ ଅର୍ଥନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ଧର୍ମଘଟର ଆହ୍ୱାନ ଦେଇଥିବା ଏ.ଆଇ.ବି.ଇ.ଏ. ଏବଂ ବି.ଇ.ଏଫ୍‌.ଆଇ. ତରଫରୁ ପ୍ରଦୀପ୍ତ କୁମାର ବେହେରା, ହେମନ୍ତ କୁମାର ଭୂୟାଁ, ସଂଜୟ ପରିଡ଼ା, ଚିନ୍ମୟ ନନ୍ଦୀ, ସୁଜୟ ବିଶ୍ୱାଳ, ବିଜୟ ନାୟକ, ରସାନନ୍ଦ ଦାସ, ହରିହର ରାଉତ, ସୁବ୍ରତ ସାହୁ, ଗୟାଧର ବେହେରା, ପ୍ରିୟଦର୍ଶିନୀ ଗିରି ଓ ବିଜୟଲକ୍ଷ୍ମୀ ପ୍ରମୁଖ କର୍ମଚାରୀ ନେତାମାନେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଷ୍ଟେଟ୍‌ବ୍ୟାଙ୍କ୍ ସମ୍ମୁଖରେ ଧର୍ମଘଟକାରୀ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ