ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ : ଜିଲ୍ଲା ବାର୍ଷିକ ଋଣ ଯୋଜନା ପୁସ୍ତକ ଉନ୍ମୋଚିତ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଠାରେ ଗଂଜାମ ଜିଲ୍ଲା ବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା ବ୍ୟାଙ୍କ ଗୁଡିକ ଋଣ ଲକ୍ଷ୍ୟ ପୂରଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ୟାଙ୍କ୍‌ର ମୋଟ ୪୨୪ ଟି ଶାଖା ଅଛି । ମାର୍ଚ୍ଚ ୨୦୨୨ ସୁଦ୍ଧା ସମସ୍ତ ଶାଖାରେ ୨୬ ହଜାର ୬୫୧ କୋଟି ଜମା ସଂଗ୍ରହ କରାଯାଇଥିବା ବେଳେ ୧୬ ହଜାର ୩୫୨ କୋଟି ଋଣ ପ୍ରଦାନ ହୋଇଛି । ଯାହାକି ଲକ୍ଷ୍ୟ ଧାର୍ଯ୍ୟର ୬୧ ପ୍ରତିଶତ ଋଣ ପ୍ରଦାନ କରାଯାଇଛି । ଗତ ଆର୍ଥିକ ବର୍ଷରେ ବ୍ୟାଙ୍କମାନଙ୍କ ଦ୍ୱାରା କୃଷି କ୍ଷେତ୍ରରେ ୯୯ ପ୍ରତିଶତ, ଛୋଟ ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୬୨ ପ୍ରତିଶତ, ଶିକ୍ଷା ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ୩୮ ପ୍ରତିଶତ ଲେଖାଁଏ, କୃଷି କ୍ଷେତ୍ରରେ କ୍ରପ୍ ଋଣ ବାବଦରେ ୯୧ ପ୍ରତିଶତ ଋଣ ପ୍ରଦାନ କରାଯାଇଥିବା ବେଳେ କୃଷି କାର୍ଯ୍ୟାକଳ ଋଣ ବାବଦରେ ୧୨୮ ପ୍ରତିଶତ ଋଣ ପ୍ରଦାନ ହୋଇଛି । ଏହା ସଙ୍ଗକୁ ବ୍ୟାଙ୍କ ମାନଙ୍କ ଦ୍ୱାରା ବଳରାମ ଯୋଜନାରେ ୧୪ ହଜାର ୯୩୩ ଭାଗଚାଷୀ ବର୍ଗକୁ ୧୨୬ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି ଏବଂ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କ କ୍ଷେତ୍ରରେ ୫୨୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଏହି ଅବସରରେ ୨୦୨୨-୨୩ ଆର୍ଥିକ ବର୍ଷ ଜିଲ୍ଲାର ବାର୍ଷିକ ଋଣ ଯୋଜନାର ପୁସ୍ତିକାକୁ ଗଞ୍ଜାମ ଜିଲ୍ଲାପାଳ ଉନ୍ମୋଚିତ କରିବା ସହ ବାର୍ଷିକ ଋଣ ଯୋଜନାର ସଫଳ ରୂପାୟନ ନିମନ୍ତେ ସମସ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜିଲ୍ଲା ପାଇଁ ମୋଟ ୧୦ ହଜାର ୬୪ କୋଟି ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ ରହିଛି । କୃଷିକୁ ପ୍ରାଧାନ୍ୟ ଦିଆଯାଇ ୩୩୭୬ କୋଟି ଋଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଛୋଟ ଏବଂ ମଧ୍ୟମ ଶିଲ୍ପ କ୍ଷେତ୍ରରେ ୪୯୦୨ କୋଟି, ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରରେ ୧୧୭୪ କୋଟି ଏବଂ ଅଣ ପ୍ରାଥମିକତା କ୍ଷେତ୍ରରେ ୬୧୨ କୋଟି ଋଣ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଥିବା ସୂଚନା ମିଳିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟାଳୟ ବ୍ରହ୍ମପୁର ଡିଜିଏମ୍ ସତ୍ୟବାନ୍ ବେହେରା, ଆରବିଆଇ ଭୁବନେଶ୍ୱର,ନାବାର୍ଡ ଡିଡିଏମ୍ ରଶ୍ମି ରଞ୍ଜନ ସାହ. ଏଲ୍‌ଡିଏମ୍ (ଗଞ୍ଜାମ) ଅଶୋକ କୁମାର ପଣ୍ଡା, ଜିଲ୍ଲାର ସମସ୍ତ ସହକାରୀ ଜିଲ୍ଲା ଅଧିକାରୀଙ୍କ ସମେତ, ସରକାରୀ ଏବଂ ବେସରକାରୀ ବ୍ୟାଙ୍କର ଅଧିକାରୀ ଉପସ୍ଥିତ ଥିଲେ । ଶେଷରେ ଏଲ୍‌ଡିଏମ୍ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ