ବ୍ୟାଙ୍କ, ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛଅଟି ନିର୍ଦ୍ଦେଶନାମା ଜାରି କରାଯାଇଛି। ସେଗୁଡିକ ହେଲା ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍‌ ଡାଉନ୍‌ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ପାଇଁ ଏକ ପ୍ରକାର କାର୍ଯ୍ୟ ନିର୍ଘଣ୍ଟ ଅର୍ଥାତ୍‌ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ ସମୟ ଲାଗୁ ହୋଇଛି। କୌଣସି ପରିସ୍ଥିତିରେ ମଧ୍ୟ ୨ଟା ପୂର୍ବରୁ ବ୍ୟାଙ୍କ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁଯାୟୀ ଅର୍ଥାତ୍‌ ୨ ଜଣରୁ କମ୍‌ ବା ୭ ଜଣରୁ ଅଧିକ ଷ୍ଟାଫ୍‌ ନିୟୋଜିତ କରିବେ ନାହିଁ। ଏଟିଏମ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନଗଦ ଟଙ୍କା ମହଜୁଦ୍‌ ରହିବ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଅର୍ଥ ପଠାଗଲା ବେଳେ ପୋଲିସ୍‌ ସୁରକ୍ଷା ଦିଆଯିବା ସହିତ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ନିର୍ଦ୍ଧାରିତ ଫର୍ମରେ ସିଲ୍‌ ଏବଂ ଦସ୍ତଖତ ଥିବା ପାସ୍‌ କର୍ମଚାରୀଙ୍କୁ ପ୍ରଦାନ କରିବେ ଏବଂ ସେମାନେ ନିଜର ପରିଚୟ ପତ୍ର ପୋଲିସ୍‌କୁ ଦେଖାଇବେ। ବ୍ୟାଙ୍କମାନେ ସେମାନଙ୍କର ସୂଚନା ପ୍ରଯୁକ୍ତି ଭିତ୍ତିଭୂମିକୁ ସବୁ ପରିସ୍ଥିତିରେ ସୁନିଶ୍ଚିତ କରିବେ। ବ୍ୟାଙ୍କମାନେ ଉପଭୋକ୍ତାମାନଙ୍କୁ ବିକଳ୍ପ ମାଧ୍ୟମ ଯଥା ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଂ, ଅନ୍‌ଲାଇନ୍‌ ପେମେଣ୍ଟ, ଏଟିଏମ୍‌ ଆଦି ବ୍ୟବହାର ପାଇଁ ଉତ୍ସାହିତ କରିବେ। ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ବ୍ୟାଙ୍କଗୁଡ଼ିକ ସେମାନଙ୍କର ସେବା ବିଷୟରେ ଜଣାଇବା ସହ କଲ୍‌ ସେଣ୍ଟର ମାଧ୍ୟମରେ ୨୪ ଘଣ୍ଟିଆ ସେବା ପ୍ରଦାନ କରିବେ। ବ୍ୟାଙ୍କଗୁଡ଼ିକ ନଗଦ ଜମା/ଉଠାଣ, ଏନ୍‌ଇଏଫ୍‌ଟି, ଚେକ୍‌ କ୍ଲିୟରିଂ, ସରକାରୀ ଟ୍ୟାକ୍ସ କଲେକ୍‌ସନ୍‌ ଆଦି ନିୟମିତ କାର୍ଯ୍ୟ ଜାରି ରଖିବେ। ଟ୍ରେନିଂ, ମିଟିଂ, ସମ୍ମିଳନୀ ଆଦି କାର୍ଯ୍ୟ ସ୍ଥଗିତ ରହିବ। ସମସ୍ତ ଇନସ୍ୟୁରାନ୍ସ କମ୍ପାନୀମାନେ ମଧ୍ୟ ଏହି ନିୟମ ମାନି କାର୍ଯ୍ୟ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ରାଜ୍ୟର ସମସ୍ତ ବ୍ୟାଙ୍କ ଏବଂ ଇନସ୍ୟୁରାନସ କମ୍ପାନୀର କାର୍ଯ୍ୟକୁ ତଦାରଖ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ