ବ୍ୟାଙ୍କ ମାଧ୍ୟମରେ ଭତ୍ତା ପ୍ରଦାନକୁ ବିରୋଧ : ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ 

ହାଟଡିହି, (ବିକାଶ ବିଶ୍ୱାଳ) :-ସରକାର ଗରିବ ବୃଦ୍ଧ, ବୃଦ୍ଧା, ନିରାଶ୍ରୟ, ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ମାସକୁ ମାସ ଭତ୍ତା ଯୋଗାଇ ଦେଉଥିବାବେଳେ ଅନେକ ସମୟରେ ଏହାର ଦୁର୍ନ୍ନୀତି ହେଉଥିବା ନେଇ ଅଭିଯୋଗ ହେବାପରେ ସରକାର ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀଙ୍କ ଏକାଉଣ୍ଟକୁ ଟଙ୍କା ପଠାଇବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଦୁର୍ନ୍ନୀତୀ କାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଏପରି ପଦକ୍ଷେପ ନେବାଦ୍ୱାରା ବିଚରା ଗରିବ ହିତାଧିକାରୀ ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେତେକ ସ୍ଥାନରେ ହିତାଧିକାରୀ ମାନେ ପାଞ୍ଚଶହ ଟଙ୍କା ଭତ୍ତା ପାଇବାକୁ ଶହେ, ଦୁଇଶହ ଟଙ୍କା ଅଟୋ ଭଡାଦେଇ ଭତ୍ତା ଉଠାଉଛନ୍ତି ।  ଏହାକୁ ନେଇ ସବୁ ପଞ୍ଚାୟତରେ ବିରୋଧର ସ୍ୱର ଉଠିଥିବାବେଳେ ଆଜି ବଞ୍ଚୋ ପଞ୍ଚାୟତର ଶହଶହ ହିତାଧିକାରୀ ଏହାର ପ୍ରତିବାଦରେ ବଞ୍ଚୋ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହିତ ସରପଞ୍ଚ ଓ କାର୍ଯ୍ୟାଳୟକୁ ଯାଇଥିବା ଦୁଇଜଣ ବ୍ଲକ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ସେମାନଙ୍କ ଅଭିଯୋଗ ଯେ ପୁର୍ବରୁ ସେମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ପାଇପାରୁଥିଲେ । ସେମାନେ ବୟସର ଅପରାହ୍ନରେ ପାଦଥାପିଥିବାବେଳେ ଅଧିକାଶଂ ହିତାଧିକାରୀ ଠିକ ଭାବରେ ଚାଲି ମଧ୍ୟ ପାରୁ ନାହାନ୍ତି । ଦୁଇ ତିନି ଶହ ମିଟର ଦୁରରେ ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବାରୁ ନିଜ ସମ୍ପର୍କୀୟଙ୍କୁ ଧରି ଆସି ଭତ୍ତା ଟଙ୍କା ନେଇପାରୁ ଥିଲେ । ମାତ୍ର ସରକାର ଏବେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ଟଙ୍କା ଯୋଗାଇ ଦେବାରୁ ସେମାନେ ତିନି ୪କିଲୋମିଟର ଦୁର ବ୍ୟାଙ୍କକୁ ଯାଇ ଧାଡିରେ ଠିଆହୋଇ ଭତ୍ତା ଟଙ୍କା ଆଣିବା ସମ୍ଭବପର ହେଉନାହିଁ । ଏପରିକି ବ୍ୟାଙ୍କ କର୍ତ୍ତୁପକ୍ଷ ବ୍ୟାଙ୍କ ସାଥି ଜରିଆରେ ହିତାଧିକାରୀଙ୍କ ନିକଟକୁ ଟଙ୍କା ପଠାଇଥିଲେବି ଟିପ ନେଉ ନଥିବାରୁ ହିତାଧିକାରୀ ମାନେ ଭତ୍ତା ପାଇପାରି ନାହାନ୍ତି । ଶତକଡା ୨୦ଭାଗ ହିତାଧିକାରୀଙ୍କ ଟିପ ନେଉଥିବାବେଳେ ଅନ୍ୟମାନଙ୍କ ଟିପ କାର୍ଯ୍ୟକାରୀ ହୋଇପାରୁନି । ଅନେକ ମୃତ ବ୍ୟକ୍ତିଙ୍କ ଏକାଉଣ୍ଟକୁ ମଧ୍ୟ ଭତ୍ତା ଟଙ୍କା ଯାଇଛି । ଯାହାଦ୍ୱାରାକି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାନେଇ ସନେ୍ଦହ ପ୍ରକାଶ ପାଇଛି । ଶହଶହ ଲୋକ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିବା ଖବରପାଇ ବ୍ଲକ  ସାମାଜିକ ସୁରକ୍ଷା ବିଭାଗର କିରାଣୀ ଅବିନାଶ ପତି, ପିଇଓ ନରହରି ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବାରୁ ହିତାଧିକାରୀ ମାନେ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦେଲେ ଛାଡିବୁ ନହେଲେ ନାହିଁ କହି ତାଙ୍କୁ ଘେରାଉ କରି ରଖିଥିଲେ । କର୍ମଚାରୀ ଦୁଇଜଣ ଏନେଇ ବିଡିଓ ଏବଂ ଡିଏସଡବ୍ଲୁଓ କେନ୍ଦୁଝରଙ୍କୁ ଅବଗତ କରାଇଥିଲେ । ଏନେଇ ହିତାଧିକାରୀ ମାନଙ୍କ ସହିତ ଦୁଇଘଣ୍ଟା ଧରି ଆଲୋଚନା ଓ ବୁଝାସୁଝା କରିବାପରେ ଯାଇ ହିତାଧିକାରୀମାନେ ସେମାନଙ୍କୁ ଛାଡିଥିଲେ । ଖାଲି ବଞ୍ଚୋ ପଞ୍ଚାୟତ ନୁହଁ ହାଟଡିହି ବ୍ଲକର ସମସ୍ତ ୩୧ଟି ଯାକ ପଞ୍ଚାୟତରେ ଏପରି ଅସୁବିଧା ଉପୁଜୁଥିବା ଦେଖିବାକୁ ମିଳିଛି । ଅନେକ ବୟସାଧିକ ଲୋକ ଠିକ ଭାବରେ ଚଲାବୁଲା କରିପାରୁ ନଥିବାବେଳେ ଆଉ କିଛି ହିତାଧିକାରୀ ଘରେ ଶଯ୍ୟାଶାୟୀ ଥିବାବେଳେ ସେମାନଙ୍କ ଏକାଉଣ୍ଟକୁ ଭତ୍ତା ଟଙ୍କା ଗଲେ କିପରି ସେମାନେ ଉଠାଇବେ ତାହାକୁ ନେଇ ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନନେଲେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ