ବ୍ୟାଙ୍କ ମାଧ୍ୟମରେ ଭତ୍ତା ପ୍ରଦାନକୁ ବିରୋଧ କଲେ ହିତାଧିକାରୀ

ହାଟଡିହି, (ବିକାଶ ବିଶ୍ୱାଳ):ସରକାର ଗରିବ ବୃଦ୍ଧ, ବୃଦ୍ଧା, ନିରାଶ୍ରୟ, ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ମାସକୁ ମାସ ଭତ୍ତା ଯୋଗାଇ ଦେଉଥିବାବେଳେ ଅନେକ ସମୟରେ ଏହାର ଦୁର୍ନ୍ନୀତି ହେଉଥିବା ନେଇ ଅଭିଯୋଗ ହେବାପରେ ସରକାର ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀଙ୍କ ଏକାଉଣ୍ଟକୁ ଟଙ୍କା ପଠାଇବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଦୁନ୍ନୀତୀ କାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଏପରି ପଦକ୍ଷେପ ନେବାଦ୍ୱାରା ବିଚରା ଗରିବ ହିତାଧିକାରୀ ମାନେ ଏବେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେତେକ ସ୍ଥାନରେ ହିତାଧିକାରୀ ମାନେ ପାଞ୍ଚଶହ ଟଙ୍କା ଭତ୍ତା ପାଇବାକୁ ଶହେ, ଦୁଇଶହ ଟଙ୍କା ଅଟୋ ଭଡାଦେଇ ବ୍ୟାଙ୍କକୁ ଯାଇ ଭତ୍ତା ଉଠାଉଛନ୍ତି । ଏପରିକି ଗତ ତିନି ଚାରିମାସ ହେଲା ଭତ୍ତା ପାଇ ନଥିବାରୁ ବ୍ୟାଙ୍କ, ପଞ୍ଚାୟତ ଓ ବ୍ଲକକୁ ଯାଇ ହିତାଧିକାରୀକାରୀ ମାନେ ଥକି ପଡିଲେଣି । କାହାର ଆଖିକୁ ଦେଖା ଯାଉନି ତ ଆଉ କିଏ ଚାଲି ବି ପାରୁନି । ଏହାକୁ ନେଇ ସବୁ ପଞ୍ଚାୟତରେ ବିରୋଧର ସ୍ୱର ଉଠିଥିବାବେଳେ ଆଜି ସୋସୋ ପଞ୍ଚାୟତ କାନପୁର ଗ୍ରାମର ହିତାଧିକାରୀ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ଗତ ତିନି ଚାରିମାସ ହେଲା ଭତ୍ତା ପାଉ ନାହୁଁ । ଏନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କ କର୍ତ୍ତୁପକ୍ଷ ଓ ବ୍ଲକକୁ ଯାଇ ଭେଟିବାପରେ ଆମ ଟଙ୍କା ଅନ୍ୟ ଏକାଉଣ୍ଟକୁ ଚାଲି ଯାଇଥବବା ଜାଣିବାକୁ ପାଉଛୁ । କିନ୍ତୁ କିପରି ଏପରି ହେଲା । ଆମେ ଆମ ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଦେଲୁ, କିନ୍ତୁ ଟଙ୍କା କିପରି ଗଲା ଭିନ୍ନ ଏକାଉଣ୍ଟକୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପୁର୍ବରୁ ସେମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ଠିକ ଭାବେ ଭତ୍ତା ପାଇପାରୁଥିଲେ । ସେମାନେ ବୟସର ଅପରାହ୍ନରେ ପାଦଥାପିଥିବାବେଳେ ଅଧିକାଶଂ ହିତାଧିକାରୀ ଠିକ ଭାବରେ ଚାଲି ମଧ୍ୟ ପାରୁ ନାହାନ୍ତି । ଦୁଇ ତିନି ଶହ ମିଟର ଦୁରରେ ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବାରୁ ନିଜ ସମ୍ପର୍କୀୟଙ୍କୁ ଧରି ଆସି ଭତ୍ତା ଟଙ୍କା ନେଇପାରୁ ଥିଲେ । ମାତ୍ର ସରକାର ଏବେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ଟଙ୍କା ଯୋଗାଇ ଦେବାରୁ ସେମାନେ ତିନି ୪କିଲୋମିଟର ଦୁର ବ୍ୟାଙ୍କକୁ ଯାଇ ଧାଡିରେ ଠିଆହୋଇ ଭତ୍ତା ଟଙ୍କା ଆଣିବା ସମ୍ଭବପର ହେଉନାହିଁ । ଏପରିକି ବ୍ୟାଙ୍କ କର୍ତ୍ତୁପକ୍ଷ ବ୍ୟାଙ୍କ ସାଥି ଜରିଆରେ ହିତାଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାର ବ୍ୟବସ୍ଥା କରିଥିବା କହୁଥିବାବେଳେ ତାହା ବି ଆଜି ପର୍ଯ୍ୟନ୍ତ ଠିକ ଭାବେ କାର୍ଯ୍ୟକ୍ଷମ ହୋଇପାରିଲାନି । ସେହିପରି ଦଲକି, ରତ୍ନମରା, ପିତାନାଉ, ରାଇଘାଟି, କଅଁଳେଇବାଲିପାଳ ଆଦି ଗ୍ରାମର ଲୋକମାନେ ଭତ୍ତା ପାଇଁ ନାନା ଅସୁବିଧା ଭୋଗ କରୁଛନ୍ତି । ସେମାନେ ଦୀର୍ଘ ୧୦/୧୨ କିଲୋମିଟର ଦୁର ବଉଳା ବ୍ୟାଙ୍କକୁ ବାରମ୍ବାର ଆସି ଏକାଉଣ୍ଟକୁ ସେମାନଙ୍କ ଟଙ୍କା ଆସିନଥିବା ଜାଣିବାପରେ ହତାଶ ହୋଇ ପଡିଛନ୍ତି । ଏ ସମ୍ପର୍କରେ ବ୍ଲକ କର୍ତ୍ତୁପକ୍ଷଙ୍କ କହିବାକଥା ଯେ ଆଧାର ବେସରେ ଟଙ୍କା ଛାଡିବାପରେ ଏହି ସମସ୍ୟା ଦେଖା ଦେଇଛି । ଶହଶହ ଲୋକଙ୍କ ଟଙ୍କା ଭିନ୍ନ ଏକାଉଣ୍ଟକୁ ଯାଇଛି । ଆମେ ଯେତିକି ପାରୁଛୁ ତାହାର ସମାଧାନ କରୁଛୁ । ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି ଯେ ଅତିଶୀଘ୍ର ବ୍ୟାଙ୍କରର୍ସ ମାନଙ୍କୁ ନେଇ ବୈଠକ କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ